
ନୂଆପଡା, ୨୩ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାରେ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ହେଲମେଟରେ ପେଟ୍ରୋଲ ନଦେବା ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ବିଜୁ ଏକ୍ସପ୍ରେସ ୱେ ରେ ବହୁତ ଦୁର୍ଘଟଣା ହେଉଥିବାରୁ ଏହାର ତୁରନ୍ତ ମରାମତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡିଂ ଇଂଜିନିୟର ଶଶାଙ୍କ ଶେଖର ଶୁକ୍ଲା ବିଭାଗୀୟ ପ୍ରସ୍ତୁତିର ବିବରଣୀ ଉପସ୍ଥାପନ କରିଥିଲେ l ଖରିଆର ଏନ୍ଏସିରେ ଟ୍ରାଫିକ ସିଗନାଲ ଲାଗିବା ସହ ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଦୁର୍ଘଟଣା ପ୍ରବଣ ସ୍ଥାନରେ ସତର୍କ ରହିବା ସହ ଦୁର୍ଘଟଣା ରୋକିବା ପାଇଁ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।
ଏହି ଅବସରରେ ଜାନୁଆରୀ ୧ ରୁ ୩୧ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସଭାରେ ଉପ ଜିଲ୍ଲାପାଳ ସୂର୍ମୀ ସୋରେନ, ସିଡିଏମଓ ଧନେଶ୍ୱର ସେଠୀ, ଆର ଟିଓ ଶର୍ମିଳା ମହାରଣା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଏସଡିପିଓ ସ୍ୱାଧିନ ମିଶ୍ର ଏବଂ ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ