
କେନ୍ଦୁଝର, 23 ଡିସେମ୍ବର (ହି.ସ.)ଓଡ଼ିଆ ଭାଷା ସାହିତ୍ୟ କୁ ନେଇ ଗ୍ରାମାଞ୍ଚଳରେ ପଡିରହିଥିବା ଯୁବଗୋଷ୍ଠୀ ତଥା ସାରସ୍ବତ ସ୍ରଷ୍ଟା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର ତରଫରୁ ଆଉ ଏକ ଅଭିନବ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର ଆରମ୍ଭ କରାଯାଇଛି ଯାହାର ସିଧା ପ୍ରସାରଣ ସଂଯୋଗୀ ସଜଫୁଲ ୟୁଟ୍ୟୁବ ଚ୍ୟାନେଲ ରେ ଜଣେ ଯେକୋୖଣସି ସ୍ଥାନରେ ରହି ଦେଖିପାରିବେ।
ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ଯୁବକବି ଶିବ ଚରଣ ମହାପାତ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ଜିଲ୍ଲାର ଋତୁପର୍ଣ୍ଣା ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଂପାଦକ ଅଧ୍ୟାପିକା ରାଜଶ୍ରୀ ସ୍ବାଇଁ, ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲାର କିଶୋରୀ କବି ସାଇ ରୁତୁପୂର୍ଣ୍ଣା ପରିଡା, ସମୀକ୍ଷକ ଭାବେ ବଲାଙ୍ଗୀର ଜିଲ୍ଲାର ଯୁବ ନାଟ୍ୟକାର,ନିର୍ଦ୍ଦେଶକ ଓ ସୁସାହିତ୍ଯିକ ହୃଷୀକେଶ ଦାଶ ଯୋଗଦେଇ ଅନୁଷ୍ଠାନର ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ଆଭାସୀ ସାହିତ୍ୟ ଆସର ରେ ଜଗତସିଂହପୁରରୁ ଯୁବକବି ତପନ କୁମାର ବେହେରା, କବୟିତ୍ରୀ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ,ଭଦ୍ରକରୁ ଜଗନ୍ନାଥ ନାୟକ, ନବରଙ୍ଗପୁରରୁ ନିଗମାନନ୍ଦ ସେନାପତି, ସମ୍ବଲପୁରରୁ ଅନୁପମା ବିଶ୍ବାଳ, ଯାଜପୁରରୁ ବିଜୟଲକ୍ଷ୍ମୀ ମହାପାତ୍ର, ଅନୁଗୋଳରୁ ଦୀନବନ୍ଧୁ ପୋଇ, ବରଗଡରୁ ପ୍ରତିମା ପାତ୍ର , କେନ୍ଦୁଝର ରୁ ଋଷିନାଥ ମହାନ୍ତ, ନେତ୍ରାନନ୍ଦ ମହାରଣା ଯୁବକବି ଭୈରବ ଚନ୍ଦ୍ର ବେହେରା ଓ ଚିନ୍ମୟ କୁମାର ସାହୁ ନିଜସ୍ୱ କବିତା ପାଠ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ଓ ନୟାଗଡ ଜିଲ୍ଲାରୁ ଉପସ୍ଥାପକ ଡକ୍ଟର ଲିସନ ମହାନ୍ତି ନିଜସ୍ୱ କ୍ଷୁଦ୍ରଗଳ୍ପ ପାଠ କରିଥିଲେ। କିଶୋରୀ କବି ସାଇ ରୁତୁପୂର୍ଣ୍ଣା ପରିଡା ଉଠ କଙ୍କାଳ କୁ ଗାନ କରି ଆଭାସୀ ସାହିତ୍ୟ ଆସରକୁ ଉଦ୍ଘାଟନ କରିଥିଲାବେଳେ ମୁଖ୍ୟ ଅତିଥି ଅଧ୍ୟାପିକା ଶ୍ରୀମତୀ ସ୍ବାଇଁ ଓଡ଼ିଆ ଭାଷା ସାହିତ୍ୟରେ ଆଧୁନିକତାର ପ୍ରଭାବ ଓ ଯୁବପିଢି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। କବିତା ଓ ଗଳ୍ପ ଗୁଡ଼ିକୁ ସମୀକ୍ଷା କରି ସ୍ରଷ୍ଟାମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ସଂପାଦକ ଶ୍ରୀ ପଲେଇ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିବାବେଳେ ସହ ସଂପାଦକ ଡକ୍ଟର ଲିସନ ମହାନ୍ତି ପରିଚାଳନା କରିଥିଲେ। ସଂଯୋଜକ ଶିବ ଚରଣ ମହାପାତ୍ର ପରିଚାଳନାରେ ସହଯୋଗ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA