
କେନ୍ଦୁଝର, ୨୩ ଡିସେମ୍ବର (ହି.ସ.)- ଢେଂକିକୋଟ ନିକଟସ୍ଥ ଚିନାମାଳିପଶି ପଞ୍ଚାୟତ ଅନ୍ତର୍ଗତ କେତାଙ୍ଗ ଗ୍ରାମ ସ୍ଥିତ ସିଦ୍ଧ ବିନାୟକ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋଦଶତମ ବାର୍ଷିକ ସମାରୋହ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରର ମୁଖ୍ୟ ଶୁକଦେବ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ବିଭାଗ ପ୍ରମୁଖ ତଥା ଧରଣୀଧର ବିଶ୍ଵବିଦ୍ୟାଳୟର ପୂର୍ବତନ କୂଳ ସଚିବ ପ୍ରାଧ୍ୟାପକ ଶଶିକାନ୍ତ ଜେନା, ମୁଖ୍ୟବକ୍ତା ଭାବେ ବିଭାଗ ସଂଘ ଚାଳକ ରତିକାନ୍ତ ବୈଦ୍ୟ, ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ସମ୍ପଦ ବିଭାଗ ସାଂସଦ ପ୍ରତିନିଧି ରକ୍ଷାକର ମହାନ୍ତ, ଜାତୀୟ ସ୍ବାସ୍ଥ୍ୟ ମିଶନର ସରକାରୀ ଯୋଗ ପ୍ରଶିକ୍ଷକ ଦୁଃଶାସନ ମହାନ୍ତ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ଘଟଗାଁ ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୂରୋଲୀଧର ମହାନ୍ତ, ସାମ୍ବାଦିକ ନୃସିଂହନାଥ ସିଂହ ଓ ମୁକ୍ତାପୁର ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ଓ ମୁଖ୍ୟବକ୍ତା ଭାବେ ଶ୍ରୀ ବୈଦ୍ୟ ସେମାନଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ଗୁରୁକୂଳ ଶିକ୍ଷାର ମହତ୍ତ୍ଵ ଚରିତ୍ର ଗଠନ ଓ ବିଶ୍ୱଗୁରୁ ଥିବା ଭାରତକୁ ପୁନଃ ବିଶ୍ଵଗୁରୁ ଭୂମିକାରେ ଦେଖିବାକୁ ଆଜିର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଉପରେ ମତ ରଖିଥିଲେ।
ପ୍ରଧାନ ଆଚାର୍ଯ୍ୟ ମଙ୍ଗଳୁ ଚରଣ ମୁଦି ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ବାର୍ଷିକ କ୍ରୀଡା, ବିଜ୍ଞାନ ମେଳା ଓ ମେଧା ଅନ୍ୱେଷଣ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA