
ସମ୍ବଲପୁର/ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ ଯୋଗଦଇ ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ଲୋକସଭା ସାଂସଦମାନଙ୍କ ସହ ଯୋଗଦେଲି। ଏହି ଉଚ୍ଚସ୍ତରୀୟ ବୈଠକରେ ବହୁ ଆକାଂକ୍ଷୀତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜରପଡ଼ା-ସମ୍ବଲପୁର ଓ ଶାସନ-ଝାରସୁଗୁଡ଼ା ତୃତୀୟ ଓ ଚତୁର୍ଥ ଲାଇନ ଆଦି ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ନେଇ ଆଲୋଚନା କରିବା ସହ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ଉପରେ ଚର୍ଚ୍ଚା କଲୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହଯୋଗ ଓ ସମନ୍ୱୟ କାରଣରୁ ଓଡ଼ିଶାରେ ରେଳ କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ମିଳୁଛି। ଆଜିର ବୈଠକରେ ଓଡ଼ିଶାର ପଶ୍ଚିମାଞ୍ଚଳରୁ ବାହାର ରାଜ୍ୟକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ, ବରଗଡ଼-ନୂଆପଡ଼ା, ଝାରସୁଗୁଡ଼ା- ବାରକୋଟ, ଏମସିଏଲ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଯାତ୍ରୀ ସୁବିଧା ପାଇଁ ଅମୃତ ଷ୍ଟେସନ ଅନ୍ତର୍ଗତ ରେଳ ଷ୍ଟେସନର ନବୀକରଣ ଦିଗରେ ଆଲୋଚନା ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା