

ଖୋର୍ଦ୍ଧା, ୨୪ ଡିସେମ୍ବର(ହି.ସ.) – ବରୁଣେଇ ପାହାଡ଼ର ପାଦଦେଶରେ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ଶାଖା ଆନୁକୂଲ୍ୟରେ ଆୟୋଜିତ ୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ର ତୃତୀୟ ଦିନଟି ଥିଲା ଦୁଃସାହସିକତା ଦିବସ। ପୂର୍ବାହ୍ନରେ ଆରମ୍ଭ ହୋଇଯାଇଥିଲା ଶାରୀରିକ କୌଶଳ ପ୍ରଦର୍ଶନ ଯେଉଁଥିରେ କି ସ୍କାଉଟ ଓ ଗାଇଡ୍ମାନେ ସେମାନଙ୍କର ଶାରୀରିକ କଳା କୌଶଳର ପାରଦର୍ଶିତା ଦେଖାଇଥିଲେ। ପରେ ପରେ ଶିବିରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଃସାହସିକ ବେସ୍ଗୁଡ଼ିକରେ ସ୍କାଉଟ ଗାଇଡ୍ମାନେ ବିଭିନ୍ନ ବେସ୍ଗୁଡ଼ିକରେ ମଜା ନେଇଥିଲେ ଏବଂ ଯେଉଁମାନେ ସମସ୍ତ ବେସ୍ ସମ୍ପୂର୍ଣ୍ଣ କରିସାରିବା ପରେ ଗୋଟିଏ ଗୋଟିଏ ଦୁଃସାହସିକତା ପ୍ରଦର୍ଶନ ବ୍ୟାଜ୍ ପାଉଥିଲେ।
ଅପରାହ୍ନରେ ପ୍ରତ୍ୟେକ ଜିଲ୍ଲାର ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ପ୍ରଦର୍ଶନୀ ଏବଂ ସ୍ୱକୀୟ କଳାକୃତିର ପ୍ରତିଯୋଗିତା। ପରେ ପରେ ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିରେନ୍ଦ୍ର କୋରକରା, ଆଇଏଏସ୍, ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା, ଓଡ଼ିଶା ଏବଂ ସମ୍ମାନୀତ ଅତିଥି ଭାବେ ଜ୍ୟୋତି ପ୍ରକାଶ ପରିଡ଼ା, ସହକାରୀ ଶାରୀରିକ ନିର୍ଦ୍ଦେଶକ, ଓଡ଼ିଶା ଏବଂ ମନୋରଞ୍ଜନ ମହାନ୍ତି, ଉପସଭାପତି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଯୋଗଦେଇ ବିଭିନ୍ନ ଜିଲ୍ଲାର ସ୍କାଉଟ ଗାଇଡ୍ ପିଲାମାନେ ତିଆରି କରିଥିବା ଖାଦ୍ୟକୁ ବୁଲି ଦେଖିବା ସହିତ ପିଲାମାନେ ବହୁତ ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ।
ସନ୍ଧ୍ୟାରେ ଅତିଥିମାନେ ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନନ୍ଦର ସହିତ ଦେଖିଥିଲେ ଏବଂ ଛୋଟ ଛୋଟ ପିଲାମାନେ ଏତେ ସଂଖ୍ୟକ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ରାଜ୍ୟ ସଂଗଠନ କମିଶନର ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଅନାମିକା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ