
ନୂଆପଡ଼ା, ୨୪ ଡିସେମ୍ବର(ହି.ସ.) – ଜୀବନ ନେଉଛି ବିଦ୍ୟୁତ୍ ଖୁଂଟ। ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ବଙ୍କାପୁର ଛକ ପାଖରେ ଥିବା ଏକ ବିଦ୍ୟୁତ୍ ସ୍ତମ୍ଭରେ ଧକ୍କା ଖାଇ ଆଜି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୁରୁଣ ଗୋହିର ଓ ଖଡ଼ିଆଳ ବ୍ଲକ ମୁହୂରା ଗ୍ରାମର ବୋଲି ଜଣାପଡ଼ିଛି। ଏବର୍ଷ ସେ ବିବାହ କରିବାକୁ ଥିବା ବେଳେ ଗତକାଲି ଉକ୍ତ ଝିଅ ସହ ତାଙ୍କର ନିର୍ବନ୍ଧ ଥିଲା। ଉକ୍ତ ଉତ୍ସବକୁ ଯାଇଥିବା ବଙ୍କାପୁର ଗ୍ରାମରେ ତାଙ୍କର ସମ୍ପର୍କୀୟଙ୍କୁ ସେ ଆଜି ଛାଡିବାକୁ ଆସିଥିଲେ ଓ ଘରକୁ ଯାଉଥିବା ବେଳେ ଉକ୍ତ ଖୁଣ୍ଟରେ ପିଟି ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖଡ଼ିଆଳ ପୁଲିସ ଖବର ପାଇ ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଗୋଟିଏ ବର୍ଷ ମଧ୍ୟରେ ତିନି ଜଣଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ସ୍ତମ୍ଭର ସ୍ଥାନାନ୍ତର ପାଇଁ ଦାବି କଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଶୁଣି ନଥିବା ସେମାନେ ଅଭିଯୋଗ କରିଛନ୍ତି। ଅତି ଶିଘ୍ର ସ୍ତମ୍ଭର ସ୍ଥାନାନ୍ତର ସହ ରାଜରାସ୍ତାରୁ ବଙ୍କାପୁର ଗ୍ରାମ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ