
ଗଂଜାମ, 24 ଡିସେମ୍ବର (ହି.ସ.) ସରକାର ଗଂଜାମ ଜିଲାରେ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଗତକାଲି ଠାରୁ ଧାନକିଣାର ଶୁଭାରମ୍ଭ କରିଛନ୍ତି । ଚଳିତବର୍ଷ ଖରିଫ ଧାନ ବିକ୍ରୟ କରିବାକୁ 1ଲକ୍ଷ56ହଜାର713ଜଣ ଚାଷୀ ପଂଜିକରଣ କରିଥିବାବେଳେ ପ୍ରଥମ ଦଫାରେ ମାତ୍ର 87 ହଜାର ଚାଷୀଙ୍କୁ ଟୋକନ ମିଳିଛି । ଫଳରେ ଟୋକନ ପାଇନଥିବା ଚାଷୀ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବ ବର୍ଷ ମାନଙ୍କରେ ଏକକାଳୀନ ସମସ୍ତ ଚାଷୀଙ୍କ ପାଖକୁ ଟୋକନ ଆସିଯାଉଥିଲା। ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ଚାଷୀମାନେ ଦୀର୍ଘ ଦିନ ହେଲା ଧାନ ଅମଳକରି ଖୋଲାମେଲାରେ ବସ୍ଥା ବାନ୍ଧି ପକାଇ ରଖିଛନ୍ତି। ଫଳରେ ହାତୀ ଗୋରୁଗାଇ ଓ ମାଙ୍କଡ ମାନଙ୍କ ଦ୍ୱାରା ଅମଳ ଧାନ କ୍ଷତି ହେବାର ସମ୍ଭାବନା ଥିବାରୁ ଚାଷୀମାନେ ଚିନ୍ତିତ ହୋଇ ପଡିଛନ୍ତି । ତୁରନ୍ତ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନ କରି ଚାଷୀଙ୍କ ଅମଳ ଧାନ ଉଠାଇ ନେବାକୁ ଦାବିହେଉଛି। ଚଳିତ ବର୍ଷ ସରକାର ଜିଲ୍ଲା ରୁ 64ଲକ୍ଷ କୁଇଣ୍ଟାଲଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ