ସାମାଜିକ,ଆବେଗିକ, ନୈତିକ ଶିକ୍ଷା ଏବଂ ଶାରୀରିକ ସାକ୍ଷରତା ଉପରେ ଚାରି ଦିନିଆ କର୍ମଶାଳା ସମ୍ପନ୍ନ
କେନ୍ଦୁଝର, 24 ଡିସେମ୍ବର (ହି.ସ.) ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ,ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର, ଡି.ଆଇ.ଇ.ଟି କେନ୍ଦୁଝର ଏବଂ ପିରାମଲ୍ ଫାଉଣ୍ଡେସନ୍‌ର ସହଯୋଗରେ ଏକ ଚାରି ଦିନିଆ ଦକ୍ଷତା ବିକାଶ କର୍ମଶାଳା ଡି.ଆଇ.ଇ.ଟି କନଫରେନ୍ସ ହଲ୍ ରେ ସଫଳ
Karamasala


କେନ୍ଦୁଝର, 24 ଡିସେମ୍ବର (ହି.ସ.)

ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ,ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର, ଡି.ଆଇ.ଇ.ଟି କେନ୍ଦୁଝର ଏବଂ ପିରାମଲ୍ ଫାଉଣ୍ଡେସନ୍‌ର ସହଯୋଗରେ ଏକ ଚାରି ଦିନିଆ ଦକ୍ଷତା ବିକାଶ କର୍ମଶାଳା ଡି.ଆଇ.ଇ.ଟି କନଫରେନ୍ସ ହଲ୍ ରେ ସଫଳତାର ସହ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୧୯ଟି ପିଏମ୍ ଶ୍ରୀ (ପ୍ରଥମ ପର୍ଯ୍ୟାୟ) ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରିଥିଲେ,ଯେଉଁଠାରେ ଆଧୁନିକ ପାଠ୍ୟକ୍ରମର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ: ସାମାଜିକ,ଆବେଗିକ,ନୈତିକ ଶିକ୍ଷା ଏବଂ ଶାରୀରିକ ସାକ୍ଷରତା ଉପରେ ଧ୍ୟାନ ଦିଆଯାଇଥିଲା।ଏହି କର୍ମଶାଳାକୁ ଏଡିଇଓ ଏକାଡେମିକ ଶ୍ରୀକାନ୍ତ ବେହେରା,ଏଡିଇଓ ସ୍କିମ୍ ରୁଦ୍ରନାରାୟଣ ସାମଲ ଏବଂ ଡି.ଆଇ.ଇ.ଟି. ର ଅଧ୍ୟକ୍ଷା କଲ୍ୟାଣୀ ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।ସେମାନେ ଜିଲ୍ଲାରେ ସକ୍ରିୟ ଏବଂ ସମ୍ବେଦନଶୀଳ ବିଦ୍ୟାଳୟ ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ,ଯେଉଁଠାରେ ପିଲାମାନଙ୍କର ମାନସିକ ଓ ଶାରୀରିକ କଲ୍ୟାଣ ଶିକ୍ଷାର ମୁଖ୍ୟ ଆଧାର ହେବ ହୃଦୟ,ମନ ଏବଂ ଶରୀରର ସମନ୍ୱୟ ।ଏହି ଚାରି ଦିନିଆ ପ୍ରଶିକ୍ଷଣ କେବଳ ପୁସ୍ତକଗତ ଜ୍ଞାନ ମଧ୍ୟରେ ସୀମିତ ନ ରହି ଅନୁଭୂତିପୂର୍ଣ୍ଣ ବୁଝାମଣା ଏବଂ ସୁସ୍ଥ ଜୀବନଶୈଳୀର ବିଜ୍ଞାନ ଉପରେ ଆଧାରିତ ଥିଲା।ସାମାଜିକ,ଆବେଗିକ ଏବଂ ନୈତିକ ଶିକ୍ଷା କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ଆବେଗିକ ଆହ୍ୱାନର ମୁକାବିଲା ପାଇଁ ସଶକ୍ତ କରାଯାଇଥିଲା।ଶିକ୍ଷକମାନେ ମାନସିକ ଚାପର ଜୈବିକ ପ୍ରଭାବ ଏବଂ ଶରୀରରେ ଖୁସି ସୃଷ୍ଟି କରୁଥିବା ନିଉରୋ-କେମିକାଲ୍ସ ବୃଦ୍ଧି କରିବାର କୌଶଳ ଶିଖିଥିଲେ। ଶ୍ରେଣୀଗୃହରେ ଏକ ନିରାପଦ ଏବଂ କରୁଣାମୟ ପରିବେଶ ସୃଷ୍ଟି କରିବା ପାଇଁ ଅଂଶଗ୍ରହଣକାରୀମାନେ ଧୈର୍ଯ୍ୟ ଓ ସହନଶୀଳତା ଭଳି ରଣନୀତି ଅଭ୍ୟାସ କରିଥିଲେ।ଶାରୀରିକ ସାକ୍ଷରତା ଏବଂ ସକ୍ରିୟ ବିଦ୍ୟାଳୟ ମାନସିକ ସୁସ୍ଥତା ପରେ,ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ରାଜ୍ୟ ପାଠ୍ୟକ୍ରମ ଆଧାର ୨୦୨୫ ଅନୁଯାୟୀ ଶାରୀରିକ ସାକ୍ଷରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। କେବଳ ପ୍ରତିଯୋଗିତାରେ ଜିତିବା ନୁହେଁ ବରଂ ଶାରୀରିକ ଗତିବିଧି ମାଧ୍ୟମରେ ଜୀବନ କୌଶଳ,ଦଳଗତ କାର୍ଯ୍ୟ ଏବଂ ଲିଙ୍ଗଗତ ସମ୍ବେଦନଶୀଳତା ବିକାଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଦ୍ୟାଳୟର ପ୍ରତିଟି କୋଣକୁ ଶିକ୍ଷଣ ସ୍ଥାନରେ ପରିଣତ କରିବା ଏବଂ ଦେଶୀ ଖେଳ ଭଳି ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ରଣନୀତି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ପିରାମଲ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରସ୍ତୁତ ଶାରୀରିକ ସାକ୍ଷରତା କାର୍ଯ୍ୟପୁସ୍ତକର ଉନ୍ମୋଚନ।ଏହା ଶିକ୍ଷକମାନଙ୍କୁ ବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ।ପିରାମଲ୍ ଫାଉଣ୍ଡେସନ୍‌ର ଟିମ୍ ପ୍ରୋଗ୍ରମ୍ ମ୍ୟାନେଜର କବିତା ମିଶ୍ର, ସିନିୟର୍ ପ୍ରୋଗ୍ରାମ୍ ଲିଡର ସସ୍ମିତା ରଥ,ପ୍ରୋଗ୍ରାମ୍ ଲିଡର ଅନନ୍ୟା ପଣ୍ଡା,ଗାନ୍ଧୀବାଦୀ ସୁମିତ୍ କୁମାର କେନ୍ଦୁଝରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ପ୍ରଶିକ୍ଷଣ ଶେଷରେ ସମସ୍ତ ଶିକ୍ଷକ ଆଗାମୀ ୩ ମାସ ପାଇଁ ନିଜ ନିଜର କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିଲେ।ଜିଲ୍ଲା ପ୍ରଶାସନ ଏବଂ ପିରାମଲ୍ ଫାଉଣ୍ଡେସନ୍‌ର ଏହି ମିଳିତ ପ୍ରୟାସ ଜୀବନ ଉଲ୍ଲାସ – ଜୀବନର ଆନନ୍ଦକୁ ପାଳନ କରିବା ଅଭିଯାନରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande