
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନବୀନ ଦାବି କରିଛନ୍ତି।
ଏକ୍ସରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଭଦ୍ରକ, ଚାନ୍ଦବାଲିରେ ୧୧ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଅତ୍ୟନ୍ତ ବିଭତ୍ସ। ଏହା ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା ଦୁଷ୍କର୍ମ ପରି ଘଟଣା ଏବଂ ଏଥିରେ ସରକାରଙ୍କ ଅପାରଗତା ସମସ୍ତଙ୍କୁ ବିଚଳିତ ଓ ଆତଙ୍କିତ କରିଦେଇଛି।
ମହିଳାଙ୍କ ସୁରକ୍ଷା ଏବଂ ଦୃଢ଼ ଆଇନଶୃଙ୍ଖଳା ପାଇଁ ଦିନେ ସୁନାମ ସାଉଁଟୁଥିବା ଓଡ଼ିଶାର ଛବି ଆଜି ସାରା ଦୁନିଆ ଆଗରେ କଳଙ୍କିତ ହେଉଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିବା ବେଳେ ବିଜେପି ସରକାରର ସ୍ଥାଣୁତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି? କେତେ ଆଉ ନିରୀହ ଜୀବନ ଗଲେ ସରକାରଙ୍କ ନିଦ ଭାଙ୍ଗିବ?
ଓଡ଼ିଶାର ମା'ଭଉଣୀମାନେ ସୁରକ୍ଷା ଚାହୁଁଛନ୍ତି, ଡବଲ୍ ଇଞ୍ଜିନ୍ ସରକାରର ମିଛ ବାହାସ୍ଫୋଟ ନୁହେଁ। ସ୍ଥିତି ଆହୁରି ବିଗିଡ଼ିବା ଆଗରୁ ସରକାର ଆଗୁଆ ତତ୍ପର ହୋଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା