
ନୂଆପଡା ୨୯ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ସ୍ଥିତ ମାଁ ବେଲାରାଣୀ ଢ଼ାବା ନିକଟରେ ଆଜି ଏକ ଦୁଃଖଦ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଅଜଣା ଗାଡ଼ି ଧକ୍କାରେ ଚଟିଆଗୁଡ଼ା ଗ୍ରାମର କିଶୋର ଚନ୍ଦ୍ର ମାଝି (୩୭)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କିଶୋର ଚନ୍ଦ୍ର ମାଝି ନିଜ ଶଶୁରଘର ପେଣ୍ଡରେନ୍ ଗ୍ରାମକୁ ଯାଇଥିଲେ। ସେ ନିଜ ଗ୍ରାମ ଚଟିଆଗୁଡ଼ାକୁ ଫେରୁଥିବା ବେଳେ ବିଜୁ ଏକ୍ସପ୍ରେସ୍ ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଧକ୍କାରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ।ଏହି ସମୟରେ ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍କୁ ଅଟକାଇ ଡ୍ରାଇଭରଙ୍କ ସହାୟତାରେ ଏବଂ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ତାଙ୍କୁ ସିନାପାଲି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ଭାନୁପ୍ରତାପ ମାଝି ସିନାପାଲି ଥାନାରେ ଅଭିଯୋଗ କରିଥିବା ବେଳେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିନାପାଲି ହସ୍ପିଟାଲରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ମୃତକ ଗରିବ ପରିବାରର ଥିବା ସହ ଦୈନିକ କୁଲିମଜୁରୀ କରି ପରିବାର ପାଳନ କରୁଥିଲେ। ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ସ୍ତ୍ରୀ ଓ ୪ ବର୍ଷର ଏକ ପୁଅ ବେସାହାରା ହୋଇପଡିଛନ୍ତି। ଏହି ନିରିହ ପରିବାରକୁ ସରକାରୀ ସହାୟତା ନିହାତି ଆବଶ୍ୟକ ହୋଇପଡିଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ