ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
ଖୋର୍ଦ୍ଧା, ୨୯ ଡିସେମ୍ବର(ହି.ସ.) – ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବା ଦାବି ନେଇ ଖୋର୍ଦ୍ଧା ଟିଏଲସି ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍
ବିଦ୍ୟୁତ୍


ଖୋର୍ଦ୍ଧା, ୨୯ ଡିସେମ୍ବର(ହି.ସ.) – ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବା ଦାବି ନେଇ ଖୋର୍ଦ୍ଧା ଟିଏଲସି ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ତଥା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୂଆ ବସଷ୍ଟାଣ୍ଡ ଛକଠାରୁ ଏକ ବିରାଟ ପଦଯାତ୍ରାରେ ଟାଟା ପାୱାର ଅଫିସକୁ କଂଗ୍ରେସ ନେତା ଓ କର୍ମୀମାନେ ଯାଇ ଅଫିସ ଫାଟକରେ ତାଲା ପକାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସଭାରେ ଶ୍ରୀ ପଟ୍ଟନାୟକ କହିଲେ, ଲୋକଙ୍କ ଘରେ ବିଜୁଳିବତୀ ଜଳୁ ନଥିବାବେଳେ ସରକାର ଲକ୍ଷ କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ କରୁଛି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବର୍ତମାନ ଏକ ମୌଳିକ ଆବଶ୍ୟକତା ହେଲା ବିଜୁଳି। ଏହା ଯୋଗାଣ ବନ୍ଦ ହେଲେ ଜନ ଜୀବନ ଠପ ପଡ଼ିଯିବ। ଏହାକୁ ଦୃଷ୍ଟିରେ ରଖି ସରକାର ବିନା ମୂଲ୍ୟରେ ବିଜୁଳି ଯୋଗାଣ କରିବାକୁ ଦାବି କରିଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ବିଜୁଳି ଛାଡ଼ ଉପରେ କହିଥିଲେ। ଅନ୍ୟ ରାଜ୍ୟମାନଙ୍କରେ କୃଷକମାନଙ୍କୁ ବିଜୁଳି ଛାଡ଼ ଥିବାବେଳେ ଓଡ଼ିଶାରେ କୌଣସି ଛାଡ଼ ନାହିଁ। ଏଭଳି ସ୍ଥଳେ ରାଜ୍ୟରେ କୃଷିର ଉନ୍ନତି କିଭଳି ହେବ ଏବଂ ଚାଷୀ କିପରି ହସିବ ବୋଲି ସେ ପ୍ରଶ୍ନ ପଚାରିଥିଲେ। ଟାଟା ପାୱାରର ଶୋଷଣ ବିରୋଧରେ ମୁହଁ ଖୋଲିବା ଓ ପ୍ରତିବାଦ କରିବାକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଓଇଆରସି ଓ ଟାଟା ପାୱାର ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି ସେ କହିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନ ମଧ୍ୟରେ ରଞ୍ଜିତ ମହାପାତ୍ର, ଗୋପନ ମାର୍ଥା, ଶୈଳେନ୍ଦ୍ର ଦାସ, ବଟକୃଷ୍ଣ ରାଉତରାୟ, ଅଶୋକ ମଙ୍ଗରାଜ, ତପନ ଚକ୍ରବର୍ତୀ, ସ୍ୱାଗତିକା ପଟ୍ଟନାୟକ, ତାପସ ମିଶ୍ର, ଜୟନ୍ତ ଭୋଇ, ପ୍ରଦୀପ ପଟ୍ଟନାୟକ,ଜିତେନ୍ଦ୍ର ଚମ୍ପତି, କାଳନ୍ଦୀ ମହାପାତ୍ର, ସଞ୍ଜୟ ସୁବୁଦ୍ଧି, ସୁକାନ୍ତ ରାଉତ, ରିଚାର୍ଡସନ ଦାସ, ଦେବୀପ୍ରସାଦ ଦାସ, ପ୍ରଦୋଷ ହରିଚନ୍ଦନ, ଶିବୁ ନାୟକ, ସୌମ୍ୟ ପଟ୍ଟନାୟକ, ସୌମ୍ୟ ବରାଳ, ମନୱର ହୁସେନ ପ୍ରମୁଖ ବିକ୍ଷୋଭରେ ସାମଲ୍ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande