
କେନ୍ଦୁଝର, ୨୯ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତର କୁସପଦା ଗ୍ରାମଠାରୁ ମହାଦେଇପୁର, କେମ୍ପସଡ଼ା ଓ କବିତ୍ରା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ଲମ୍ବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଦୟନୀୟ ଅବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୈନିକ ଯନ୍ତ୍ରଣାର କାରଣ ହୋଇପଡିଛି। ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଠାରୁ କେବଳ ୧ କିଲୋମିଟର ଦୂରରେ ଅବସ୍ଥିତ ଏହି ମୁଖ୍ୟ ସଡ଼କଟି ଏବେ ଅବହେଳାର ସ୍ପଷ୍ଟ ଉଦାହରଣ ହୋଇପଡ଼ିଛି।
ସଡ଼କର ଅଧିକାଂଶ ସ୍ଥାନରୁ ପିଚୁ ସମ୍ପୂର୍ଣ୍ଣ ଭାବେ ଉଠିଯାଇ ତଳର ମେଣ୍ଟାଲ ଗୁଡ଼ିକ ବାହାରକୁ ମୁନିଆଁ ହୋଇ ରହିଛି। ଏହାର ଫଳରେ ରାସ୍ତାଟି ଏକ ପଥର ଗଦା ପରି ଦେଖାଯାଉଛି ଓ ଯାତାୟତ କରିବା ଦୁର୍ବିସହ ହୋଇପଡ଼ିଛି। ବାଇକ୍ ଓ ସାଇକେଲ ଚାଳକମାନେ ବାରମ୍ବାର ପମ୍ପଚର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାରିଚକିଆ ଯାନ ଓ ବସ୍ ଚଳାଚଳ ସମୟରେ ଚକରୁ ଛିଟିକି ପଡ଼ୁଥିବା ମେଣ୍ଟାଲ ଗୁଡ଼ିକ ଅନ୍ୟ ଯାତ୍ରୀଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି।
ବିଶେଷକରି ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ଓ କଲେଜ ଯିବା ଆସିବା କରୁଥିବାରୁ ଅଭିଭାବକ ମାନଙ୍କ ମନରେ ଗଭୀର ଚିନ୍ତା ଓ ଆତଙ୍କ ସୃଷ୍ଟି ହୋଇଛି। ପୂର୍ବରୁ ଏହି ରାସ୍ତାରେ ପଡ଼ି ଅନେକ ଲୋକ ଆହତ ହୋଇ ଖଣ୍ଡିଆ–ଖାବରା ହୋଇଥିବା ଘଟଣା ସ୍ଥାନୀୟ ଲୋକଙ୍କୁ ଅଧିକ ଭୟଭୀତ କରୁଛି।
ଜିଲ୍ଲାରୁ ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ରାଜ୍ୟ କୋଷାଗାରକୁ ଯାଉଥିବା ସତ୍ତ୍ୱେ ଗ୍ରାମାଞ୍ଚଳର ଏହି ପ୍ରମୁଖ ସଡ଼କର ଏପରି ଦୁରବସ୍ଥାକୁ ସ୍ଥାନୀୟ ଲୋକେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଶୀଘ୍ର ସଡ଼କର ମରାମତି ଓ ପୁନନିର୍ମାଣ କାମ ଆରମ୍ଭ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA