




ବଲାଙ୍ଗିର, 29 ଡିସେମ୍ବର (ହି.ସ.)
ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଓ ମଠଖାଇ ମହୋତ୍ସବ ପାଳନ କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର(କେସି)ଙ୍କ ସ୍ମୃତିରେ ଆୟୋଜିତ ୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ
ଉଦଯାପିତ ହୋଇଯାଇଛି। ଆଜି ସ୍ଥାନୀୟ କୋସଲ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ଭୂମିକା ସଭାପତି ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗଦେଇ ଏହି ମହୋତ୍ସବ ଏଭଳି ଜାରି ରହୁ, ଜିଲ୍ଲା ଓ ରାଜ୍ୟ ବାହାରକୁ ଯାଇ ସୁଦୂର ପ୍ରସାରୀ ହେଉ ବୋଲି କହିଥିଲେ। ପରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ମଠଖାଇ ମହୋତ୍ସବ ଆଗକୁ ମଧ୍ୟ ଚାଲୁ, ସମାଜକୁ ବାର୍ତ୍ତା ଦେଉଥାଉ। ଏକତା ରହିଲେ, ଦଳମତ ନିର୍ବିଶେଷରେ ଅଞ୍ଚଳର ବିକାଶ ସମ୍ଭବ ବୋଲି କହିଥିଲେ। ଆଜିର କାର୍ଯ୍ୟକ୍ରମ ମଞ୍ଚକୁ ନାଟ୍ୟକାର ସ୍ଵର୍ଗତ ରତନ ଥିଆମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଏହି ଅବସରରେ ବୈଜ୍ଞାନିକ ଡ଼ ବିଜୟ ସାହୁଙ୍କୁ ମଠଖାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଭୂମିକା ସମ୍ପାଦକ ଅଖିଳ ଚନ୍ଦ୍ର ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦତ୍ତାନନ୍ଦ ପଣ୍ଡା ଧନ୍ୟବାଦ ଦେଇଥିଲେ। ବିଷ୍ଣୁ ବେଜ ଏବଂ ଅର୍ଘ୍ୟ ଅର୍ପଣ ମିଶ୍ର ମଞ୍ଚ ସମର୍ପଣ ପତ୍ର ଓ ମଠଖାଇ ସମ୍ମାନ ପତ୍ର ପାଠ କରିଥିଲେ। ଏହି ଅବସରରେ ସ୍ମରଣିକା ନାଟ ମଣ୍ଡପ ଉନ୍ମୋଚନ ହୋଇଥିଲା। ଉଦଯାପାନୀ ସମାରୋହରେ ଉପକାର କଳା ପରିଷଦର କର୍ମକର୍ତ୍ତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭାପରେ ମଧ୍ୟପ୍ରଦେଶ ଜବଲପୁରର ସମାଗମ ରଙ୍ଗମଣ୍ଡଳ ଅନୁଷ୍ଠାନର ହିନ୍ଦୀ ନାଟକ. ‘ଭୂମି ’ ମଞ୍ଚସ୍ଥ ହୋଇଥିଲା।
ଏହାର ଲେଖକ ଆଶିଷ ପାଠକ.ଓ ନିର୍ଦେଶକ ସ୍ଵାତି ଦୁବେ ଅଟନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ