ପହରିଆପଡ଼ାବାସୀ ମୌଳିକ ସୁବିଧାରୁ ବଞ୍ଚିତ
ନୂଆପଡ଼ା, ୨୯ ଡ଼ିସେମ୍ବର (ହି.ସ.)- ଆଜି ବି ବିକାଶ ଅପ‌ହଞ୍ଚ । ସରକାରୀ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧ‌ିଙ୍କ ପାଦ ପଡ଼ିନି । ଗାଁରେ କେହି ଜଣେବି ପଞ୍ଚମରୁ ଅଧିକ ପଢିନାହାନ୍ତି । ଖୋଲାକୂଅ ପାଣି ପିଅନ୍ତି। ରାସ୍ତା ଓ ବିଜୁଳି ଆଲୁଅ ସ୍ୱପ୍ନ। ଅନେକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ଭତ୍ତା ସହ ରାସନ କା
Paharia pada


ନୂଆପଡ଼ା, ୨୯ ଡ଼ିସେମ୍ବର (ହି.ସ.)- ଆଜି ବି ବିକାଶ ଅପ‌ହଞ୍ଚ । ସରକାରୀ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧ‌ିଙ୍କ ପାଦ ପଡ଼ିନି । ଗାଁରେ କେହି ଜଣେବି ପଞ୍ଚମରୁ ଅଧିକ ପଢିନାହାନ୍ତି । ଖୋଲାକୂଅ ପାଣି ପିଅନ୍ତି। ରାସ୍ତା ଓ ବିଜୁଳି ଆଲୁଅ ସ୍ୱପ୍ନ। ଅନେକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ଭତ୍ତା ସହ ରାସନ କାର୍ଡ଼ରୁ ବଞ୍ଚିତ । ମୌଳିକ ସୁବିଧାରୁ ବଞ୍ଚିତ ଏପରି ଏକ ଗାଁ ରହିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ପଞ୍ଚାୟତ ଢେକୁନପାଣି ଗାଁର ଟିକ୍ରାପଡ଼ା ପହରିଆପଡ଼ା।

ସୁନାବେଡ଼ା ଅଭୟାରଣ୍ୟ ପହରିଆପଡ଼ାରେ ୧୨ଟି ପରିବାରରରେ ୫୦ରୁ ଅଧିକ ଲୋକେ ବସବାସ କରନ୍ତି । ଏହି ବସତିକୁ ଶହେ ବର୍ଷରୁ ଉର୍ଦ୍ଧ ହୋଇଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଯୋଜନା ସାତସପନ ହୋଇଛି। ଏଯାଏଁ ଗାଁକୁ ଜଣେ ବି ସରକାରୀ ଅଧିକାରୀଙ୍କ ପାଦ ପଡ଼ିନି । ପୁଣି ଗାଁର କେହି ଜଣେ ବି ପଞ୍ଚମରୁ ଅଧିକ ପାଠପଢି ନାହାନ୍ତି । ଏଠି ଭଲ ରାସ୍ତା, ବିଜୁଳି ସଂଯୋଗ ହୋଇନି। ଗୋଟିଏ ବି ଛାତ ଘରନାହିଁ । ବହୁବର୍ଷ ପୂର୍ବେ କାଡ଼ା ଯୋଜନାରେ କିଛି ଲୋକଙ୍କୁ ଘର ମିଳିଥିଲା । ଯାହା ଏବେ ଜରାଜୀର୍ଣ ଅବସ୍ଥାରେ। ସଭିଏଁ ଚାଳକାଠ ଓ ମାଟି ତିଆରି ଛପରଘରେ ଆଶ୍ରୟ ନେଇଛନ୍ତି। ଭଙ୍ଗା ଦଦରା ଘରେ ଜୀବନ ବିତୁଛି। ଏଠି ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀରେ ୮ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଗାଁର ଭଣଗାମୁଣ୍ଡା ନାଳାରେ ପୋଲ ନିର୍ମାଣ ହୋଇନି ଓ ଅସରାଏ ବର୍ଷାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ସ୍କୁଲକୁ ଶିକ୍ଷକ ଆସିପାରନ୍ତି ନାହିଁ ଓ ପାଠପଢା ବନ୍ଦ ହୁଏ। ଏବେ ଗାଁର ୭ ଜଣ ପିଲା ଅଧାରୁ ପାଠ ଛାଡ଼ି ଦେଇଛନ୍ତି। ଦୁଇ ଜଣ ଶିଶୁ ଅଙ୍ଗନବାଡ଼ିର ପୃଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଗାଁରେ ବିଦ୍ୟୁତ ଖୁଣ୍ଟ ପୋତିବା ସହ ତା'ର ଟଣାହୋଇ ଘରେ ମିଟର ଲାଗିଛି । କିନ୍ତୁ, ବିଜୁଳିର ଦେଖାନାହିଁ । ସେହିପରି ବିଶୁଦ୍ଧ ପାନୀୟ ଜଳ ପାଇଁ ପାଇପ ପୋଡିବା ସହ ଷ୍ଟାଣ୍ଡପୋଷ୍ଟ ଓ ଟେପ ଲାଗିଛି। ହେଲେ ବିଶୁଦ୍ଧ ପାନୀୟ ଜଳ ସ୍ୱପ୍ନ ହୋଇରହିଛି। ଲୋକେ ଖୋଲାକୂଅର ପାଣି ପିଉଛନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ପରିବାର ଚଳାନ୍ତି। କନ୍ଦମୂଳ ଏମାନଙ୍କ ମୁଖ୍ୟଖାଦ୍ୟ । ବାଉଁଶ ତିଆରି ସାମଗ୍ରୀ ବିକ୍ରିକରି ରୋଜଗାର କଲେ ପରିବାର ଚଳେ । ଆଜି ବି ମଧ୍ୟାହ୍ନ ଭୋଜନରେ ବାସିପଖାଳ ଭାତ ଓ ଶାଗ ନିତିଦିନିଆ ଖାଦ୍ୟ । ସରକାରୀ ଯୋଜନାକୁ ଘରେ ପହ‌ଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ, ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗାଁର ଏକ ଯୋଗ୍ୟ ପରିବାର ରାସନକାର୍ଡ଼ରୁ ବଞ୍ଚିତ । କମଲା ପହରିଆ ଦିବ୍ୟାଙ୍ଗ ଭତା ଓ ୩ ଜଣ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଜଙ୍ଗଲ ଅଧ‌ିବାସୀ ପହରିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଛି। ଫଳରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଜଙ୍ଗଲ ଜମି ଅଧିକାର ବି ମିଳୁନି। ଏଣୁ ତୁରନ୍ତ ଗାଁ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ନଲସିଂ ପହରିଆ, ସନ୍ଧରୀବାଈ ପହରିଆ, କମଲା ପହରିଆ ପ୍ରମୁଖ ଦାବି କରିଛନ୍ତି।

ଏନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ନିଜେ ପହରିଆପଡ଼ାକୁ ଯିବି। ସେଠି ସବୁ ସୁବିଧା ଅସୁବିଧା ବୁଝିବା ସହ ସମସ୍ତ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande