ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ଅଂଶୁଜା ପ୍ରଥମ
କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- ପ୍ରଜ୍ଞାନ ମିଶନ ପକ୍ଷରୁ ପୁରୀ ସ୍ଥିତ ବାଲିଘାଇ ଆଶ୍ରମ ପରିସରରେ ଅନୁଷ୍ଠିତ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ଅଂଶୁଜା ପାଣି ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସର୍ବୋଚ୍ଚ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛ
ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ଅଂଶୁଜା ପ୍ରଥମ


କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- ପ୍ରଜ୍ଞାନ ମିଶନ ପକ୍ଷରୁ ପୁରୀ ସ୍ଥିତ ବାଲିଘାଇ ଆଶ୍ରମ ପରିସରରେ ଅନୁଷ୍ଠିତ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ଅଂଶୁଜା ପାଣି ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସର୍ବୋଚ୍ଚ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହା ଜିଲ୍ଲାର ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ଓ ଗୀତା ପ୍ରେମୀଙ୍କ ମହଲରେ ଖୁସି ଖେଳାଇ ଦେଇଛି।

ଗତ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୪ଟି ବର୍ଗର ବିଦ୍ୟାର୍ଥୀ ମାନେ ବାଲିଘାଇ ଆଶ୍ରମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅଂଶୁଜାଙ୍କ ଘର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡ଼ା ଗ୍ରାମରେ ହୋଇଥିବା ବେଳେ ସେ ଓୟୁଏଟିର ବ୍ରହ୍ମପୁରସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ସ୍ନାତକ ଛାତ୍ରୀ ଭାବେ ଏଥିରେ ଭାଗ ନେଇଥିଲେ। ପୂର୍ବରୁ ଗଞ୍ଜାମ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ମଧ୍ୟ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଜଣେ ମେଧାବୀ ଛାତ୍ରୀଭାବେ ଅଂଶୁଜା ପୂର୍ବରୁ ରାଜ୍ୟସ୍ତରରେ ବକ୍ତୃତା, କବିତା ଆବୃତ୍ତି, ସୃଜନଶୀଳ ଲେଖନ ଆଦିରେ ପୁରସ୍କୃତ ହୋଇଛନ୍ତି। ଏଥିସହିତ ସେ ରାଷ୍ଟ୍ରୀୟ ବାଲଶ୍ରୀ ସମ୍ମାନ ଓ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମରେ ମଧ୍ୟ ସଫଳତାର ସହ ଅଂଶଗ୍ରହଣ କରିଛନ୍ତି। ରବିବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦଯାପନୀ ସଭାରେ ପରମହଂସ ପ୍ରଜ୍ଞାନାନନ୍ଦ ସରସ୍ବତୀ ଓ ଗଜପତି ଦିବ୍ୟସିଂହଦେବ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ପ୍ରଥମ ହୋଇଥିବା ଅଂଶୁଜାଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ଶ୍ରୀମଦ ଭଗବତ ଗୀତା ସହ ଏକ ବର୍ଷ ପାଇଁ ୬ ହଜାର ଟଙ୍କା ବୃତ୍ତି ରାଶି ପ୍ରଦାନ କରାଯାଇଥିବା ଗୀତା ଆବୃତ୍ତି ପ୍ରତିଯୋଗିତାର ରାଜ୍ୟ ସଂଯୋଜକ ସ୍ୱାମୀ ବିଶ୍ଵରୂପାନନ୍ଦ ଗିରିଙ୍କ ସୂତ୍ରରୁ ପ୍ରକାଶ। ଉକ୍ତ ପ୍ରତିଯୋଗିତାରେ ସମସ୍ତ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୩୦୦ ବିଦ୍ୟାର୍ଥୀ ଭାଗନେଇଥିଲେ। ସୂଚନାଯୋଗ୍ୟ, ଅଂଶୁଜା ଜଣାଶୁଣା ସାମାଜିକ ଓ ସାଂସ୍କୃତିକ କର୍ମୀ ତଥା ସମବାୟବିତ ଇଂ. ଅକ୍ଷୟ କୁମାର ପାଣି ଓ ଶିକ୍ଷୟିତ୍ରୀ ଅମିତା ମିଶ୍ରଙ୍କ ସୁକନ୍ୟା ଅଟନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande