
Odisha, 29 ଡିସେମ୍ବର (ହି.ସ.)ଖୋର୍ଦ୍ଧା, ସ୍ଥାନୀୟ ପି.ଡବ୍ଲୁ.ଡି. ଆଇ.ବି. ଠାରେ ସଖା ଏବଂ ଏନଆଇଏସଡିର ମିଳିତ ସହଯୋଗରେ ଏକ ଦିବସୀୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା I ଟ୍ରାନ୍ସଜେନ୍ଡର ମାନଙ୍କର ଅଧିକାରର ସୁରକ୍ଷା ନିମନ୍ତେ ପ୍ରଣୀତ ହୋଇଥିବା ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା ପାଇଁ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଆଲୋଚନା ଚକ୍ରରେ ଅନ୍ୟୁନ ୫୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦାନ କରି ସକ୍ରିୟ ଭାବରେ ଆଲୋଚନା କରିଥିଲେ I ବିଭିନ୍ନ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧିମାନେ ଏଥିରେ ଯୋଗଦେଇ ଏହି ଆଇନର ବିଭିନ୍ନ ଦିଗ ଓ ତାହାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନ ରଖିଥିଲେ I ସଖା ପ୍ରତିଷ୍ଠାନର ପ୍ରତିଷ୍ଠାତା ମୀରା ପରିଡା ଗଣମାଧ୍ୟମର ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ୨୦୦୦୦ ଟ୍ରାନ୍ସଜେନ୍ଡର ଚିହ୍ନଟ ହୋଇଥିବା ଏବଂ ଅନ୍ତତଃ ୫୦୦୦ ଟ୍ରାନ୍ସଜେନ୍ଡର ସେମାନଙ୍କର ତୃତୀୟ ଲିଙ୍ଗୀ ପରିଚୟ ପତ୍ର ପାଇଥିବା କଥା କହିଥିଲେ I ଏତଦ ବ୍ୟତୀତ ଗାରିମା ଗୃହ ଯୋଜନା ଅନ୍ତର୍ଗତ ଆଶ୍ରୟସ୍ଥଳ ସମ୍ବନ୍ଧୀୟ ସୁବିଧା, ସ୍ୱୀକୃତି ଯୋଜନା ଅନ୍ତର୍ଗତ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି, ଧନ୍ଦାମୂଳକ ଶିକ୍ଷା ପାଇଁ ସହାୟତା ଆଦି ଦିଗରେ ସରକାରଙ୍କ ଯୋଜନା ଏବଂ ସମ୍ପ୍ରଦାୟ ଦ୍ୱାରା ଏହାର ଉପଯୋଗ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ I ବିଶିଷ୍ଟ ସମାଜସେବୀ ଡକ୍ଟର ମିତାଲି ମହାନ୍ତି ଆଇନର ବିଭିନ୍ନ ଦିଗ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଜୀବନଜୀବିକା ଆଦି କ୍ଷେତ୍ରରେ ଆଇନର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ନେହା ମହାପାତ୍ର, ସଭାପତି; ସନ୍ତୋଷ ଚମ୍ପତି-ଉପସଭାପତି; ବିଭୁତି ଭୂଷଣ ବିଶ୍ୱାଳ, ମୁଖ୍ୟ ପରାମର୍ଶଦାତା; ସସ୍ମିତା ସାହୁ, ପ୍ରୋଗ୍ରାମ ମ୍ୟାନେଜର ଆଦି ଆଲୋଚନାରେ ଯୋଗ ଦେଇଥିଲେ I ବିଭୁତି ଭୂଷଣ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ