
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)-ମହାପ୍ରଭୁ ଶ୍ରୀ ଜଗନ୍ନାଥ ସନାତନୀ ହିନ୍ଦୁ ମାନଙ୍କର ଆସ୍ଥା ତଥା ଆରାଧ୍ୟର ଠାକୁର ଅଟନ୍ତି । କେଉଁ ଆବହମାନ କାଳରୁ ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଅଛି କିନ୍ତୁ ବିଡମ୍ବନାର ବିଷୟ ଯେ, କିଛି ବର୍ଷ ହେବ ଜାନୁଆରୀ-୧ ପାଇଁ ଅର୍ଦ୍ଧରାତ୍ରିରେ ମନ୍ଦିର ଖୋଲିବା ଏକ ନିୟମିତ କାର୍ଯ୍ୟ ହୋଇଗଲାଣି । ଯାହା ଧାର୍ମିକ ତଥା ହିନ୍ଦୁ ପରମ୍ପରା ଦୃଷ୍ଟି କୋଣରୁ ଆଦୌ ସମଚୀନ ହେବାଭଳି ଅନୁଭବ ହେଉନାହିଁ । ହିନ୍ଦୁ ମାନଙ୍କର ନୂତନ ବର୍ଷ ହେଉଛି ଚୈତ୍ର ମାସ ଶୁକ୍ଳ ପ୍ରତୀପଦା । ଯାହାର ପୌରାଣିକ ଏବଂ ବୈଜ୍ଞାନିକ ଅନେକ ସିଦ୍ଧାନ୍ତ ରହି ଆସିଅଛି । ଯାହା ବେଦରେ ମଧ୍ୟ ବର୍ଣ୍ଣିତ ହୋଇଛି। ତେଣୁ କ୍ୟାଲେଣ୍ଡର ରେ ବଦଳୁଥିବା ତାରିଖ ଜାନୁଆରୀ-୧ ପାଇଁ ମାନବୀୟ ଲୀଳା ଖେଳାର ଠାକୁର ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ରାତ୍ରୀ ଅନିଦ୍ରା ନକରି ସ୍ୱାଭାବିକ ଭାବରେ ମହାପ୍ରଭୁଙ୍କ ଦୈନଦିନ ରୀତି ନିତି ଅନୁଷ୍ଠିତ କରିବାକୁ ଶ୍ରୀ ମନ୍ଦିର ପ୍ରଶାସନର ପ୍ରମୁଖ ଶାସନ ସଚିବ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସହ ଆଇନ ଏବଂ ପୂର୍ତ ବିଭାଗର ମନ୍ତ୍ରୀଙ୍କୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଶ୍ୱ ହିନ୍ଦୁ ପରିଷଦର ଓଡିଶା ପୂର୍ବର ରାଜ୍ୟ ସଭାପତି ପ୍ରଫେସର ପ୍ରଫୁଲ କୁମାର ମିଶ୍ର ପରାମର୍ଶ ଦେଇଛନ୍ତି । ଏହାସହ ଶ୍ରୀ ମନ୍ଦିର ପରିଚାଳନା ସମିତି ସଦସ୍ୟ ପଣ୍ଡିତ ମହେଶ କୁମାର ସାହୁ ଉକ୍ତ ପ୍ରସଙ୍ଗରେ ଲେଖିଥିବା ଚିଠିକୁ ବିଶ୍ୱ ହିନ୍ଦୁ ପରିଷଦ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଆଜିକାର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି ।
ସେହିଭଳି ବିହିପର ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ୱାଇଁ ମଧ୍ୟ ମନ୍ଦିର ପରିଚାଳନା ସମିତି ସଦସ୍ୟଙ୍କ ଚିଠିକୁ ସମର୍ଥନ ଜଣାଇ କୌଣସି ପରିସ୍ତିଥିରେ ହିନ୍ଦୁ ଭାବାବେଗ ଏବଂ ସନାତନି ପରମ୍ପରାର ଅବମାନନାନ ହେଉ ବୋଲି ମଧ୍ୟ ପ୍ରଶାନଙ୍କୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା