
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ନିୟନ୍ତ୍ରଣ ଭିତରେ ମଦ ପିଅନ୍ତୁ, କିନ୍ତୁ ଗାଡି ଚଳାନ୍ତୁ ନାହିଁ। ମଦ ପିଇ ଡ୍ରାଇଭ୍ କରିବା ବେଳେ ଧରା ପଡିଲେ ଗାଡି ସିଜ୍ କରାଯିବ ବୋଲି ପୋଲିସ କମିଶନର ଏସ୍.ଦେବଦତ. ସିଂ, କହିଛନ୍ତି। ରାଜଧାନୀରେ ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ । ୧୮ ପ୍ଲାଟୁନ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ୧୨ ଟା ରେ ବୁଲିବ କ୍ୱିକ୍ ରିଆକସନ୍ ଟିମ୍। ହୋଟେଲ , ବାର ପବ୍ କୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି । ପରିସ୍ଥିତି କୁ ନିୟନ୍ତ୍ରଣ ରେ ରଖିବା ଓ ମଦ୍ୟପ ଚାଳକ ଉପରେ ଲଗାମ ଲଗାଇବା ପାଇଁ ଡିସିପିଙ୍କ ନେତୃତ୍ୱରେ ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଇନ୍ସପେକ୍ଟର, ୯୬ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଓ ୫୮ କନଷ୍ଟେବଳ ନିୟୋଜିତ ହେବେ। ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଂଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ । ସେହିପରି ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା