
ଧର୍ମଶାଳା, ୨୯ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଗୋକର୍ଣ୍ଣେଶ୍ୱର ବାଲିଘାଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅସାବଧାନତାବଶତଃ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ସ୍ଥାନୀୟ ଦେଉଳି ଗ୍ରାମର ଶ୍ୟାମସୁନ୍ଦର ରଣାଙ୍କ ପୁଅ ନରେଶ (୩୨) ବୋଲି ଜଣାପଡିଛି ।
ସୂଚନା ମୁତାବକ, ଗତକାଲି ରାତିରେ ହାଇୱା ଗାଡି ପଛକୁ ଫେରାଉ ଥିବା ବେଳେ ଅସାବଧାନତାବଶତଃ ନରେଶକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଂଚି ହାଇୱାକୁ ଜବତ କରିବା ସହ ମୃତଦେହକୁ ଜବତ କରି ବ୍ୟବଛେଦ କରାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ଯୁବକମାନେ ଏକ ଶୋଭାଯାତ୍ରାରେ ଜାରକା ବଜାର ପରିକ୍ରମା କରି ଦେଉଳିସ୍ଥିତ ତାଙ୍କ ବାସଭବନରେ ପହଁଚି ଥିଲେ । ବ୍ରାହ୍ମଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ନରେଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଚଳରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ