ଚାଖି ଖୁଣ୍ଟିଆଙ୍କ ୨୦୪ ତମ ଜୟନ୍ତୀ ପାଳିତ
ପୁରୀ, ୩୦ ଡିସେମ୍ବର (ହି.ସ.)- ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ। ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବାରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍
ଚାଖି ଖୁଣ୍ଟିଆ ଙ୍କ ୨୦୪ ତମ ଜୟନ୍ତୀ ପାଳିତ।


ପୁରୀ, ୩୦ ଡିସେମ୍ବର (ହି.ସ.)- ଦେଶର ସୁରକ୍ଷା ଓ ଗୌରବ ପାଇଁ ବିପ୍ଲବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ଅବଦାନ ଅତୁଳନୀୟ। ସେ ଏପରି ଜଣେ ବୀର ଯିଏ ଦେଶ ମାତୃକାର ସେବା ସହ ମହାପ୍ରଭୁଙ୍କ ସେବାରେ ମଧ୍ୟ ସମର୍ପିତ ଥିଲେ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ମିଳିତ ସହଯୋଗରେ ଚାଖି ଖୁଣ୍ଟିଆଙ୍କର ୨୦୪ ତମ ଜୟନ୍ତୀ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମହାପୁରୁଷ ମାନଙ୍କର ସେବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଗାମୀ ପିଢ଼ିକୁ ଅବଗତ କରାଯିବା ଉଚିତ ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା ଚାଖି ଖୁଣ୍ଟିଆଙ୍କ ତ୍ୟାଗ ଓ ବୀରତ୍ବର କଥା କାଳ କାଳକୁ ପ୍ରତିଟି ଓଡ଼ିଆଙ୍କୁ ଉଦବୁଦ୍ଧ କରିବ ବୋଲି କହିବା ସହ ଆମ ମହାନ ପରମ୍ପରା ଓ ଗୌରବକୁ ଆଗକୁ ନେବାକୁ ଶପଥ ନେବାକୁ ମତ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରଫେସର ଅସିତ କୁମାର ମହାନ୍ତି ଚାଖି ଖୁଣ୍ଟିଆଙ୍କ ଜନ୍ମ, ନାମର ସାର୍ଥକତା, କର୍ମ, ସଂଗ୍ରାମ, ଦେଶପ୍ରେମ, ଆଧ୍ୟାତ୍ମିକତା, ଚାଖିଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ଭଜନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ। ଚାଖି ଖୁଣ୍ଟିଆ ଓ ଜୟୀ ରାଜଗୁରୁଙ୍କ ପରି ପ୍ରଥମ ଓ ପ୍ରଧାନ ସଂଗ୍ରାମୀ ମାନଙ୍କ ସମ୍ପର୍କରେ ଅଧିକ ପ୍ରାମାଣିକ ତଥ୍ୟ ଆଧାରିତ ଗବେଷଣା ଜରୁରୀ ବୋଲି ସେ କହିବା ସହ ଯୁବ ପିଢି ଏହା ଉପରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଚାଖିଙ୍କ ଦାୟାଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ, ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ଉତ୍ସବର ସଭାପତି ମାୟାଧର ମହାରଣା ଚାଖିଙ୍କ ଜୀବନୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରି ତାଙ୍କ ପରି ଦୁର୍ଦ୍ଦଶ ସଂଗ୍ରାମୀ ପୁରୀ ମାଟିରେ ଜନ୍ମ ନେବା ଅତ୍ୟନ୍ତ ଗୌରବର କଥା। ତାଙ୍କରି ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସମ୍ପାଦକ ଧୃବ ଚରଣ କର ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଉଲ୍ଲେଖନୀୟ ଅବଦାନ ପାଇଁ ଭଗବାନ ସୁଆର ଓ ଫକୀର ପଣ୍ଡାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ଗଙ୍ଗାଧର ହାଇସ୍କୁଲର ଏନସିସି ଓ ଘୋଡ଼ା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାଇଡ ଟିମକୁ ଶୃଙ୍ଖଳା ରକ୍ଷା ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରୀପର୍ଣ୍ଣା କଳା ପରିଷଦ ସ୍ୱାଗତ ସଂଗୀତ ଓ ଚାଖିଙ୍କ ରଚିତ ଭଜନ ପରିବେଷଣ କରିଥିଲେ। ଶେଷରେ ଅନାମ ଚନ୍ଦ୍ର ସାହୁ, ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ପ୍ରତ୍ୟୁଷରୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଠାରେ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉପରୋକ୍ତ ଅତିଥି ମାନଙ୍କ ସହ କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ୍ବର ପ୍ରହରାଜ, ସୁକାନ୍ତ ପଣ୍ଡା, ଅଖିଳ କୁମାର ଦଳାଇ, ବିଜୟ ଦାସ,ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର,ବିଭୁଦାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande