ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି
Bhubaneswar, 30 ଡିସେମ୍ବର (ହି.ସ.) ଏବେ ସୁଦ୍ଧା ଛତିଶଗଡ଼ରେ ୪୦% ଧାନ କିଣା ସରିଥିବା ବେଳେ ଓଡ଼ିଶାରେ ମାତ୍ର ୮% ସରିଛି ଡବଲ ଇଞ୍ଜିନ ସରକାର ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟର ୧୩ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ, ଏହି ଧାନ କିଣା ବ୍ୟବସ୍ଥା ଚଳିତ
ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି


Bhubaneswar, 30 ଡିସେମ୍ବର (ହି.ସ.)

ଏବେ ସୁଦ୍ଧା ଛତିଶଗଡ଼ରେ ୪୦% ଧାନ କିଣା ସରିଥିବା ବେଳେ ଓଡ଼ିଶାରେ ମାତ୍ର ୮% ସରିଛି

ଡବଲ ଇଞ୍ଜିନ ସରକାର ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ

ରାଜ୍ୟର ୧୩ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ, ଏହି ଧାନ କିଣା ବ୍ୟବସ୍ଥା ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନପୁଟ ସବସିଡି ପ୍ରଦାନ କରୁଛନ୍ତି ବୋଲି ବାହାବା ନେଉଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ରାଜ୍ୟର ଧାନ କିଣାକୁ ଦେଖିଲେ, ଏହା ଚାଷୀକୁଳଙ୍କ ପ୍ରତି ଧୋକା ଓ ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା, ବିଧାୟକ ତଥା କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ରାଜ୍ୟର ଚାଷୀକୁଳଙ୍କୁ ରାଜ୍ୟ ସରକାର ହତାଶ କରିଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି କହିଥିଲେ ।

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଡବଲ ବିକାଶ ନାରା ଦେଇ ଆସିଥିବା ସରକାର ବାସ୍ତବରେ ଚଳିତ ବର୍ଷ ଧାନ କିଣା ବ୍ୟାପାରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । କେନ୍ଦ୍ର ସରକାରଙ୍କ ଆଗରେ ଓଡ଼ିଶାର ସ୍ୱର ନରମି ଯାଉଛି । ଧାନ କିଣା ପ୍ରସଙ୍ଗରେ ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟ ମାନଙ୍କ ପାଇଁ ଧାନ କିଣା ପାଇଁ ରଖାଯାଇଥିବା ଲକ୍ଷ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଓଡିଶା ଠାରୁ ଛତିଶଗଡ଼ ରାଜ୍ୟର ଲକ୍ଷ୍ୟ ଅଧିକ ରହିଛି । ଛତିଶଗଡ଼ ଓଡିଶା ଠାରୁ କ୍ଷୁଦ୍ର ରାଜ୍ୟ ହୋଇଥିବା ବେଳେ ଓ ଛତିଶଗଡ଼ ଓଡିଶା ଠାରୁ କମ୍ ଧାନ ଉତ୍ପାଦନ କରୁଥିବା ବେଳେ ଓଡିଶା ପାଇଁ ୭୩ ଲକ୍ଷ ମେଟି୍ରକ ଟନ ଧାନକିଣା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ୮୦ ଲକ୍ଷ ମେଟି୍ରକ ଟନ ଧାନ କିଣାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଓଡ଼ିଶାର ଦୁର୍ଭାଗ୍ୟ ଯେ, ଓଡିଶା ସରକାର ଏ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣିଛନ୍ତି । ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଧାନ କିଣା ଦାୟିତ୍ୱରେ ଥିବା ଓଡିଶା ରାଜ୍ୟ ଯୋଗାଣ ନିଗମର ୧୮,୮୮୬ କୋଟି ଟଙ୍କା ଋଣଭାର ରହିଛି । ଏହାଛଡା ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡିଶା ପାଇବାର ଅଛି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ଗତ ଖରିଫ ଚାଷ ସମୟରେ ସାର ପ୍ରଦାନ କରିବାରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଥିଲେ । ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କର ପଞ୍ଜିକରଣ ହୋଇପାରିଲା ନାହିଁ । ପଞ୍ଜିକରଣ ନହେଲେ ଚାଷୀ ଧାନ ମଣ୍ଡିରେ ବିକ୍ରି କରିପାରିବ ନାହିଁ । ଅଭାବୀ ବିକ୍ରି ପାଇଁ ବାଧ୍ୟ ହେବ । ସରକାର ଦାରୁଭୂତ ମୁରାରୀ ହୋଇ ବସି ରହିଛନ୍ତି । ଚାଷୀଙ୍କୁ ଶୋଷଣ କରିବାର ସମସ୍ତ ଉପାୟ ସରକାର ଅବଲମ୍ୱନ କରୁଛନ୍ତି ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଯେଉଁ ୮୦୦ ଟଙ୍କା ଇନପୁଟ ସବ୍ସିଡି କଥା କହିଥିଲେ, ତାହା ପ୍ରଦାନ ନକରିବା ଉଦେ୍ଦଶ୍ୟରେ ଧାନ କିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ୱନ କରୁଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମନ୍ତବ୍ୟରେ ତାଳମେଳ ନାହିଁ । ଯୋଗାଣ ମନ୍ତ୍ରୀ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଠାରୁ ଅଧିକ ଧାନ କିଣା ଯିବ ନାହିଁ ବୋଲି କହିଥିବା ବେଳେ କ୍ୟାବିନେଟ ବୈଠକରେ ସମସ୍ତ ବଳକା ଧାନ କିଣାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟ୍ୟମରେ ପ୍ରକାଶ ପାଇଛି । ଅପରପକ୍ଷରେ ରାଜ୍ୟ ସମବାୟ ମନ୍ତ୍ରୀ ଟୋକନ ପିଛା ୧୫୦ କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ ରାଜ୍ୟର କୃଷକ ମାନଙ୍କୁ ଧାନ ଚାଷ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ରାଜ୍ୟର ଚାଷୀକୁଳକୁ ହତାଶ କରିଛି । କ’ଣ ପାଇଁ ଚାଷୀକୁଳ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହି ହତାଦର? ଇନପୁଟ ସବ୍ସିଡି ଦେଇ ସରକାର ଯେଉଁ ବାହାବା ନେଉଛନ୍ତି, ତାହା ବାସ୍ତବରେ ଚାଷୀକୁଳ ପ୍ରତି ଧୋକା ଓ ପ୍ରତାରଣା ।

ଶ୍ରୀ ଦାସବର୍ମା କହିଥିଲେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮% ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲା ବେଳେ ଛତିଶଗଡ଼ରେ ୪୦% ଚାଷୀ ଧାନ ବିକ୍ରି କରିସାରିଲେଣି । ରାଜ୍ୟରେ ବର୍ତ୍ତମାନ ୧୩ଟି ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ, ଏହି ଜିଲ୍ଲା ଗୁଡିକରେ ୪୦୮୩ ଧାନ କିଣା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ଜିଲ୍ଲା ଗୁଡିକରେ ମାତ୍ର ୧୦୩୯ଟି ଧାନ କିଣା କେନ୍ଦ୍ର ଖୋଲା ଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଧାନ କିଣା ପ୍ରକ୍ରିୟା କିପରି ଭାବେ ଚାଲିଛି ? ଧାନ ମଣ୍ଡିରେ ଓ ରାଜରାସ୍ତାରେ ଧାନ ରଖି କୃଷକ ମାନେ ଧାନ ବିକିବାକୁ ଚାତକ ପରି ଚାହିଁ ବସିଛନ୍ତି । କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ରାଜ୍ୟର କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସ୍ୱର ଉଠାଇବ ଓ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande