
ଜୟପୁର, ୩୦ ଡିସେମ୍ବର (ହି.ସ.)- ଜଗନ୍ନାଥ ଦାଶଙ୍କ ଦ୍ଵାରା ରଚିତ ଭାଗବତ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପରିଚିତ ଥିଲା । ସଂଧ୍ୟାରେ ପ୍ରାୟ ଓଡ଼ିଆଣୀର ଘରେ ଭାଗବତ ଗୁଞ୍ଜରଣ ହେଉଥିଲା । ଘର କୋଣରୁ ସଂଧ୍ୟାରେ ଗୁଞ୍ଜରିତ ହେଉଥିଲା ‘କହଇ ଜଗନ୍ନାଥ ଦାଶ, ଭାଷା ପ୍ରବଧ ଭାଗବତ । ଏହା ବ୍ୟତୀତ ଗ୍ରାମାଞ୍ଚଳର କର୍ମଠ କୃଷକ ହେଉ ବା ଧାର୍ମିକ ପରାୟଣ
ବ୍ୟକ୍ତି ବିଶେଷ ସଂଧ୍ୟା ସମୟରେ ସେହି ସମୟରେ ଗାଁ ମାନଙ୍କରେ ରହିଥିବା ଭାଗବତ କୋଠିରେ ଏକାଠି ହେଉଥିଲେ । ମନୋରଞ୍ଜନ ହେଉ ବା ଆଧ୍ୟାତ୍ମିକ ହେଉ ସଂଧ୍ୟାରେ ଭାଗବତ ପାଠ ହେଉଥିଲା । ଏହା ଉପରେ ଆଲୋଚନା ମଧ୍ୟ ହେଇଥିଲା । ଏହାଦ୍ଵାରା ଗାଁରେ ଏକ ସକରାତ୍ମକ ଆଧ୍ୟାତ୍ମିକ ଭାବନା ଲୋକଙ୍କ ମଧ୍ୟରେ ଜାଗ୍ରତ ହେଉଥିଲା । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସାମାଜିକ କାର୍ଯ୍ୟ କରିବାକୁ ଲୋକେ ପସନ୍ଦ କରୁନଥିଲେ । ଲୋକଙ୍କ ମଧ୍ୟରେ ଭାଗବତ ପଠନ ଯୋଗୁଁ ଏକତା, ଭାତୃଭାବ ସୃଷ୍ଟି ହେଉଥିଲା । ଏଠାରେ ଗାଁର ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୁଡ଼ିକ ପାରିତ ହେଉଥିଲା । ସେତେବେଳେ ଗାଁ ମାନଙ୍କରେ କାଁ ଭାଁ ମଦୁଆ ଦେଖା ଯାଉଥିଲା । ଭାଗବତ ପାଠ ସମୟରେ ମଦୂଆମାନେ ମଦ ପିଇଥିଲେ ମଧ୍ୟ ଭାଗବତ ଟୁଙ୍ଗୀ ପାଖ ମାଡୁ
ନଥିଲେ । ସମୟ ବଦଳି ଯାଇଛି । ଏବେ କୋରାପୁଟ ଜିଲା ଗାଁ ମାନଙ୍କରେ ଥିବା ଭାଗବତ ଟୁଙ୍ଗୀର ଦେଖା ନାହିଁ । ଟୁଙ୍ଗୀ ଗୁଡିକ ଧିରେ ଧିରେ ବ୍ଲକ, ପାଠାଗାର ସ୍ଥାନ ନେଇ ଯାଇଛି । ଏଠାରେ ଗାଁରେ ମଦଭାଟି ହେବ, ଭୋଜିଭାତ ହେବ, କାହାକୁ ବିରୋଧ କରିବେ, କାହାର କ'ଣ କରାଯିବ ସେଠାରେ ଆଲୋଚନା ଶିବିର ପାଲଟି ଯାଇଛି । ଭାଗବତ ଟୁଙ୍ଗୀ ପ୍ରାୟ ଗାଁ ମାନଙ୍କରେ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଦେଶୀ ମଦଭାଟି ଗୁଡ଼ିକ ଏବେ ରାଜ କରୁଛି । ପ୍ରତ୍ୟେକ ଗାଁ ଭିତରେ, ଗାଁ ମୁଣ୍ଡରେ ଏକ ପାନ ଦୋକାନ ନାମକୁ ମାତ୍ର ରହିଥିବା ବେଳେ ସେଠାରେ ଦେଶୀ କୁକୁଡା, ଭାଟି ମଦ ବିକ୍ରି ଚାଲିଛି । ତା' ପାଖକୁ ଲାଗି ରହିଛି ଏକ ବଡ କାଠ ଗଣ୍ଠି ପୋତା ହୋଇବାର, ଯାହାକୁ ଦେଖିଲେ ଜଣାଯାଏ ଯେ ଏଠାରେ କୁକୁଡା ମାଂସ, ଚାଖନା ପୁଟାର ଏକ ଆଡ୍ଡା ।
ଖୁଣ୍ଟକୁ ଦେଖିଲେ ମଦୁଆ ଅନୁମାନ କରି ନିଏ ଯେ ଏହାର ଆଖପାଖରେ ନିଶ୍ଚୟ ମଦ ମିଳିବ । ଗୋଟିଏ ଗାଁରେ ଏକାଧିକ ମଦଭାଟି ଦେଖିବାକୁ ମିଳୁଛି । ବିକ୍ରେତାମାନେ ଗାଁର କୁଜି ଟାଉଟର ମାନଙ୍କୁ ହାତକରି ଗାଁର ମନ୍ଦିର ନିର୍ମାଣ, ବିଦ୍ୟାଳୟ ପରିଚାଳନା ପାଇଁ ଗାଁକୁ କିଛି ଟଙ୍କା ଦେବାକୁ ପ୍ରବର୍ତାଇ ଥାନ୍ତି । ଏହା ସହିତ ସେମାନଙ୍କୁ ନିୟମିତ ମଦ ଓ ମାଂସ ଦେଇଥାନ୍ତି ।
ବଦଳରେ ଗାଁ ମୁଖିଆ ବୋଲାଉଥିବା ଟାଉଟର, ଗ୍ରାମଦ୍ରୋହୀମାନେ ମଦଭାଟି ଦେବାରେ ସହଯୋଗ କରିଥାନ୍ତି । ଗାଁରେ ଯଦି ମଦଭାଟି ହେବ ସେମାନେ ସେଠାରୁ ନିୟମିତ ଖାଇପିଇ ପାରିବେ । ତାଙ୍କର ବୋଲକରା ହେବେ । ଦରକାର ସମୟରେ ଅନିୟମିତତା, ଦୁର୍ନୀତି କାମରେ ତାଙ୍କର ବାହୁବଳୀ ହୋଇ ସହଯୋଗ କରିବେ । ଏମାନଙ୍କ ବ୍ୟତୀତ ଅବକାରୀ ବିଭାଗ, ପୁଲିସ ମଧ୍ୟ ମାସିକିଆ କୋଟା ଯୋଗୁଁ ଆମର କ'ଣ ଯାଉଛି । ମାସିକିଆ ଆସିଲେ ହେଲା ନୀତିରେ ଗାଁ ମାନଙ୍କରେ ଏମିତି ଅନୈତିକ କାମ ଚାଲୁଛି । ଯାହାଦ୍ଵାରା ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି ।
ସମୟ ବଦଳି ଯାଇଛି । ମଦୁଆମାନଙ୍କୁ ଦେଖିଲେ ଗାଁର ସଭା ସମିତି, ଆଧ୍ୟାତ୍ମିକ ବୈଠକ ବନ୍ଦ କରି ଭୟରେ ସେ ସ୍ଥାନ ଛାଡି ଲୋକେ ଚାଲି ଯାଉଛନ୍ତି । ନିଶା ଯୋଗୁଁ
ଲୋକଙ୍କ ପାଖରେ ମାନବିକତା ଗୁଣ କମି ଯାଇଛି । ଯାହାଦ୍ଵାରା ଚୋରି, ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ଅସାମାଜିକ କାର୍ଯ୍ୟ ବଢ଼ି ଚାଲିଛି । ଗତ ସରକାର ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ପାଇଁ ଚେଷ୍ଟାକରି ଆସିଥିଲେ ମଧ୍ୟ ମଦକୁ ବନ୍ଦ ନକରିବାରୁ ଏହା ଫଳପ୍ରଦ ହୋଇପାରି ନଥିଲା । ସଂଧ୍ୟାରେ ମଦଭାଟି ଗୁଡ଼ିକରେ ଅଧିକାଂଶ ଟଙ୍କା ଉଡି ଯାଉଥିଲା । ବର୍ତ୍ତମାନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଯେତିକି ଆବଶ୍ୟକ ନୁହେଁ, ଏମାନଙ୍କ ଉନ୍ନତି ପାଇଁ ମଦ ବନ୍ଦ ହେବା ଜରୁରୀ ବୋଲି ସଚେତନ ମହିଳା ପ୍ରକାଶ କରିଛନ୍ତି । ସୁଭଦ୍ରା ଯୋଜନା ଅପେକ୍ଷା ମଦଭାଟି ବନ୍ଦ ହେଲେ ମହିଳାମାନେ ସୁରକ୍ଷିତ ରହିପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି