
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଦୋପାଲି ସ୍ଥିତ ସଂଗ୍ରାମୀ ପୀଠ ପରିସରରେ ମଙ୍ଗଳବାର ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପଶ୍ଚିମାଂଚଲ ଏକତା ମଂଚର ଆବାହକ ଭବାନୀଶ ଭୋଇ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ୧୮୫୭ ମସିହାରେ ଡିସେମ୍ବର ୩୦ ତାରିଖରେ ଇଂରେଜ ମାନଙ୍କ ଆତର୍କିତ ଆକ୍ରମଣରେ ୫୩ ଜଣ ଘଟଣା ସ୍ଥଳରେ ସହୀଦ ହୋଇଥିବା ବେଳେ ଆଉ ୪ ଜଣ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଏବଂ ଜଣେ ଇଂରେଜ ସୈନ୍ୟଙ୍କୁ ଫାଶି ଦିଆଯାଇଥିଲା। ଏହି ଘଟଣାର ସ୍ମୃତିରେ ଆଜି ବଳିଦାନ ଦିବସ ଅବସରରେ ସମଲେଶ୍ୱରୀ ମନ୍ଦିରରୁ ମଶାଳ ଶୋଭାଯାତ୍ରା କରାଯାଇ କୁଦୋପାଲି ଶହୀଦ ସ୍ଥଳକୁ ନିଆଯାଇଥିଲା । କୁଦୋପାଲି ବୀର ଛବିଳ ସାଏ ସଂଗ୍ରହାଳୟ ଠାରେ ଥିବା ବୀର ଛବିଳ ସାଏଙ୍କ ପ୍ରତିମୂର୍ତୀରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ବୀର ଛବିଳ ସାଏ କ୍ଲବର ସଦସ୍ୟ ମାନେ ମଶାଳ ନେଇ କୁଦେପାଲିକୁ ପହଂଚିଥିଲେ । କୁଦୋପାଲି ସଂଗ୍ରାମ ସମିତି ପକ୍ଷରୁ ବୀର ଛବିଳ ସାଏ ସଂଗ୍ରହାଳୟ ଠାରେ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଥିଲା । ଏହାପରେ କୁଦୋପାଲି ଅଲେଖ ମହିମା ଆଶ୍ରମ ଠାରେ ସହୀଦ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଲୀ ସଭା ଅନୁଷ୍ଠିତ ହୋଇଥିଲା । ସଂଗ୍ରାମୀ ବଂଶଧର ତ୍ରିଲୋଚନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅବସରରେ ବୀର ଛବିଳ ସାଏଙ୍କ ସମେତ ଘଟଣାରେ ସହୀଦ ହୋଇଥିବା କୁଦୋପାଲିର ବୁଧୁ ଗଣ୍ଡା, ବାଲକି ଗଣ୍ଡା, ହାଡୁ ଗଣ୍ଡା, ବାଲମୁକୁନ୍ଦ କନ୍ଧ ଏବଂ ଚୁନ୍ଦି କୁଡାକୁ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଥିଲା । କିଛି ବର୍ଷ ହେବ ବଲିଦାନ ଦିବସକୁ ବଡ ସମାରୋହର ସହ ଆୟୋଜନ କରାଯାଉଛି । ତେବେ ସଂଗ୍ରାମରେ ସାମିଲ ଥିବା କୁଦୋପାଲିର ସହୀଦ ମାନଙ୍କ ବିଷୟରେ ଅଧିକ ଗବେଷଣା ସହ ପ୍ରଚାର ପ୍ରସାରର ଆବଶ୍ୟକତା ରହିଥିବା ବୈଠକରେ ଆଳୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଭାଗିଦାରୀ ରହିବା ଜରୁରୀ ବୋଲି ବୈଠକରେ ଉପସ୍ଥିତ ସଦସ୍ୟ ମତ ଦେଇଥିଲେ । ସଂଗ୍ରାମୀ ପୀଠ ଭାବେ ବିକଶିତ ହେବା ପରେ କୁଦୋପାଲିକୁ ପ୍ରତିବର୍ଷ କେନ୍ଦ୍ରମନ୍ତ୍ରୀଙ୍କ ସହ ଜାତୀୟ ସ୍ତରର ବ୍ୟକ୍ତି ବିଶେଷଙ୍କ ଆଗମନ ହେଉଛି । ତେଣୁ ଗାଁରେ ସାମୁହିକ ଶୌଚାଳୟ ଭଳି ମୈାଲିକ ସୁବିଧାର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଥିଲା । ଏହି ଅବସରରେ କୁଦୋପାଲିର ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ବୟୋଜ୍ୟେଷ୍ଠ ଆନନ୍ଦ ଭୋଇ ପରଲୋକ ଘଟଣାରେ ଶ୍ରଦ୍ଧାଜଂଲୀ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଖୀରୋଦ ମହାନନ୍ଦ, ବସନ୍ତ ମହାନନ୍ଦ, ବିଦ୍ୟାଧା ମହାନନ୍ଦ, ଶ୍ରୀନିବାସ ମହାନନ୍ଦ, ସମୀର ମହାନନ୍ଦ, ଶ୍ରବଣ ମହାନନ୍ଦ, ଶଙ୍କର କୁମ୍ଭାର, ସୁକାନ୍ତୀ କୁମ୍ଭାର, ସଂଘମିତ୍ରା ମହାନନ୍ଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ