
ବଲାଙ୍ଗିର, ୩୦ ଡିସେମ୍ବର (ହି.ସ.)- ଆଜି ଅପରାହ୍ନରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହିମାଂଶୁ ବେହେରା, ବିଡ଼ିଓ ହୃଷୀକେଶ ଗଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୫ଟା ସମୟରେ ରାମଧୁନ, ସକାଳ ୬ଟାରୁ ୭ଟା ମଧ୍ୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତଫେରି, ସକାଳ ୭ଟାରୁ ୭ଟା୩୦ ମଧ୍ୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭ଟା୧୫ରୁ ୭ଟା୪୫ ମଧ୍ୟରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଦିବସର ମୁଖ୍ୟ ଅତିଥି ସକାଳ ୮ଟା ୩୦ ସମୟରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡରେ ହୋମଗାର୍ଡ, ଏନସିସି, ସ୍କ୍ୱାଉଟ, ଗାଇଡ, ରେଡକ୍ରସ ଓ ସିଭିଲିଆନ ଦଳ ଅଂଶଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ, ସ୍ଵାଧୀନତା ସଂଗ୍ରାମୀ ବେଶ, ଓଡ଼ିଆ, ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦ ବ୍ୟତୀତ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାକୁ ଗୌରବାନ୍ଵିତ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ସାଧାରଣତନ୍ତ୍ର ଦିବସ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । ପ୍ୟାରେଡ ପରେ ଜିଲ୍ଲା କାରାଗାରର ଅନ୍ତେବାସୀ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ ।
ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ କେଶବ ବାଗ, ତପନ କୁମାର ପଟେଲ, ସମୀର ସାହୁ ଓ ଛବିଲାଲ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ