ସନ୍ତାନଙ୍କ ମଙ୍ଗଳମନାସି ସୂର୍ଯ୍ୟପୂଜା ଓ ଶାମ୍ବ ଦଶମୀ ପାଳିତ
ପୁରୀ, ୩୦ ଡିସେମ୍ବର (ହି.ସ.)- ସକଳ ଶକ୍ତିର ଆଧାର ସୂର୍ଯ୍ୟ । ସୂର୍ଯ୍ୟଙ୍କ କିରଣରେ ଅନେକ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଉତ୍କଳୀୟ ପରମ୍ପରାରେ ଚନ୍ଦ୍ରପୂଜା ପାଇଁ କୁମାର ପୂର୍ଣ୍ଣମୀ ଓ ସୂର୍ଯ୍ୟପୂଜା ପାଇଁ ଶାମ୍ବ ଦଶମୀ ପୂଜା ବିଧି ରହିଛି । ସନ୍ତାନମାନଙ୍କ ମଙ୍ଗଳମନାସି ରୋଗମୁକ୍ତ ଓ ଦୀର୍
ଫାଇଲ ଫୋଟୋ


ପୁରୀ, ୩୦ ଡିସେମ୍ବର (ହି.ସ.)- ସକଳ ଶକ୍ତିର ଆଧାର ସୂର୍ଯ୍ୟ । ସୂର୍ଯ୍ୟଙ୍କ କିରଣରେ ଅନେକ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଉତ୍କଳୀୟ ପରମ୍ପରାରେ ଚନ୍ଦ୍ରପୂଜା ପାଇଁ କୁମାର ପୂର୍ଣ୍ଣମୀ ଓ ସୂର୍ଯ୍ୟପୂଜା ପାଇଁ ଶାମ୍ବ ଦଶମୀ ପୂଜା ବିଧି ରହିଛି । ସନ୍ତାନମାନଙ୍କ ମଙ୍ଗଳମନାସି ରୋଗମୁକ୍ତ ଓ ଦୀର୍ଘଜୀବୀ ପାଇଁ ମା ମାନେ ଏହି ପୂଜା କରିବାର ପରମ୍ପରା ରହିଛି । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଅର୍କକ୍ଷେତ୍ର କୋଣାର୍କରେ ଦୀର୍ଘ ୧୨ ବର୍ଷ ସୂର୍ଯ୍ୟପୂଜା କରି ସେ ଅଭିଶାପରୁ ମୁକ୍ତି ପାଇଥିଲେ । ତେଣୁ ଏହି ଦିନକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଉଛି ।

ପୌଷ ମାସ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଏ । ସୂର୍ଯ୍ୟଙ୍କ ତିନି ଅବସ୍ଥାକୁ ନେଇ ତୁଳସୀ ଚଉରାମୂଳେ ଏହି ପୂଜାବିଧି କରାଯାଇଥାଏ । ତଦନୁଯାୟୀ, ସକାଳ ଅରୁଣୌଦୟ ସୂର୍ଯ୍ୟଙ୍କୁ ବାଳ ଧୂପରେ କାକରା, ଛଣାମଣ୍ଡା, ଗଇଁଠା, ଅଟ୍ଟକାଳି, ଫଳମୂଳ, ଶାକର, ମୁଆଁ, ରସଗୋଲା, ମାଲପୁଆ, ଗଜା ଓ ପାଚିଲା କଦଳୀ ପୂଜା କରିବାର ବିଧି ରହିଛି । ମଧ୍ୟାହ୍ନ ଧୂପରେ ଖେଚୁଡ଼ି, ଘାଂଟ ତରକାରୀ, ଲଡ଼ୁ, ଗଜା, ମଣ୍ଡା, ପୋଡ଼ପିଠା, ଆରିସା, ବିରିଲଡ଼ୁ, ମକରଚାଉଳ, ଛେନାକୁଡ଼, ଦହିଭାତ, ଖିରୀ, ରସଗୋଲା ଓ ଛେନାଗଜା ଭୋଗ କରାଯାଇଥାଏ । ସେହିପରି ସନ୍ଧ୍ୟାଧୂପରେ ସୂର୍ଯ୍ୟଙ୍କ ପୁତ୍ର ଯମଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଢା ଚକୁଳି ଭୋଗ କରାଯାଇଥାଏ । ଯମ ସନ୍ତୁଷ୍ଟ ହେଲେ ପରିବାରରେ ରୋଗ ବ୍ୟାଧି ପଶିନଥାଏ । ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଖୀରଗଜା ଆଦି ନୈବିଦ୍ୟ କରାଯାଇଥାଏ ।

ସକାଳୁ ସଧବା ମହିଳାମାନେ ଶୁଦ୍ଧପୂତ ଭାବେ ସ୍ନାନକରି ଚଉରାମୂଳେ ଲିପାପୋଛା କରିବା ସହ ଝୋଟିଚିତା ଅଙ୍କନ କରିଥିଲେ । ପିଢା ଉପରେ ମୁରୁଜରେ ସୂର୍ଯ୍ୟଙ୍କ ଚିତ୍ର ଅଙ୍କନ କରି ଗଳିଗୁଆକୁ ହଳଦିରେ ସ୍ନାନ କରାଇ ସ୍ଥାପନ କରିଥିଲେ । ପାଖରେ ଫୁଲ, ଚନ୍ଦନ, ଦୂବ, ବରକୋଳି ପତ୍ର ରଖି ସୂର୍ଯ୍ୟପୂଜା କରୁଥିବା ଦେଖିବାକୁ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande