
ପୁରୀ, ୩୦ ଡିସେମ୍ବର (ହି.ସ.)- କୋଣାର୍କରୁ ଚନ୍ଦ୍ରଭାଗା ଗଡିଲା ସୂର୍ଯ୍ୟ ରଥ । ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ ଦିନ ଯାତ୍ରାରେ ବାହାରିଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଂଟ, ଘଂଟା, ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇଉଠିଛି ମଠ ପରିସର । ତେବେ ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବଦଶମୀ ଓ ସୂର୍ଯ୍ୟ ନାରାୟଣଙ୍କ ରଥଯାତ୍ରାର ପାରମ୍ପରିକ ସ୍ଵତନ୍ତ୍ରତା ରହିଛି ।
ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କ ଦର୍ଶନ କରିଥିଲେ । କୋଣାର୍କ ଅବଧୂତ ମଠ ପରିସର ଉତ୍ସବମୁଖର ହୋଇ ଉଠିଥିଲା । ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୂର୍ନଜନ୍ମ ହେବନାହିଁ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଖେଚୁଡି, ପୋଡପିଠା ଭୋଗ ଓ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା । ରଥରେ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ ଛେରା ପହଁରା କରିଥିଲେ । ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ । ଚନ୍ଦ୍ରଭାଗା ତୀର୍ଥରେ ୨୭ ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ ଅନୁଷ୍ଠିତ ହେବ । ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ରଥରେ ଅବଧୂତ ମଠକୁ ବାହୁଡ଼ା ଯାତ୍ରା କରିବେ । ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ସୌର ବ୍ରାହ୍ମଣ ପରିଷଦର କର୍ମକର୍ତା କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ