
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଇତିହାସ ପୃଷ୍ଠାର ପ୍ରମୁଖ ରଣଭୂମି କୁଦୋପାଲି ଘାଟିରେ ସମ୍ମୁଖ ଯୁଦ୍ଧରେ ୩୦ଡିସେମ୍ବର ୧୮୫୭ ରେ ଵୀରଗତି ପ୍ରାପ୍ତ ହୋଇଥିବା ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ବୀର ସଂଗ୍ରାମୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କୁଦୋପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପଦ୍ମଶ୍ରୀ ହଳଧର ନାଗ, ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର , ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି ପ୍ରମୂଖ ମଞ୍ଚସିନ ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଂରେଜ ମାନଙ୍କ ବିରୁଦ୍ଧରେ ବୀର ସଂଗ୍ରାମୀଙ୍କ ବୀରତ୍ୱର ଗାଥା ମନେରଖିବା ପାଇଁ, ତାଙ୍କ ସ୍ମୃତିକୁ ରାଷ୍ଟ୍ରୀୟ ସ୍ତରରେ ପ୍ରତିପାଦନ କରିବା ଦରକାର ଏବଂ ସେମାନଙ୍କ ସ୍ମୃତିକୁ ସଂରକ୍ଷଣ କରିବା ଦିଗରେ ସମସ୍ତଙ୍କୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ବୁର୍ଲାରେ ନିର୍ମାଣ ହେଇଥିବା ଷ୍ଟାଡିଅମ ଛବିଳ ସାଏଙ୍କ ନାମରେ ନାମିତ କରିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ଏହି ସ୍ମୃତି ପୀଠ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯାଉଛି, ଯାହା ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାପାଳ ଶ୍ରୀ ବୋନ୍ଦର ଯୋଗଦେଇ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ବୀର ସଂଗ୍ରାମୀ ଙ୍କ ବିରୁଦ୍ଧ ଇଂରେଜ ମାନଙ୍କ ଲୋମହର୍ଷଣ କାରୀ ଶାସନର କାହାଣୀକୁ ମନ ପକାଇ ସାରାଭାରତ ବର୍ଷ ର ପ୍ରତ୍ଯେକ ଟି ଲୋକ ପାଖେ ପହଞ୍ଚାଇବାକୁ ଏକ ପୁସ୍ତକ ଦି ସାଗା ଓଫ କୁଦୋପାଲି ଦ ଅନସଙ୍ଗ ଷ୍ଟୋରି ଓଫ ୧୮୫୭ ପୁସ୍ତକ ଏନବିଟି ର ସହଯୋଗରେ ପ୍ରକାଶ ପାଇଥିବାର କହିଥିଲେ।ସେମାନଙ୍କର ବୀରତ୍ଵର ଗାଥାକୁ ସମ୍ମାନ ଜଣାଇବା ପାଇଁ ଏହି ସ୍ଥାନରେ ଆଗାମୀଦିନରେ ଜାତୀୟ ପତାକା ଲଗାଯିବ, ଯାହାଦ୍ୱାରା ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ଜାଣିପାରିବେ କି ଏହି ସ୍ଥାନ ସ୍ଵାଧୀନତା ସଂଗ୍ରାମୀଙ୍କ ପୀଠସ୍ଥଳୀ ବୋଲି। ଆଗାମୀ ଦିନରେ ସହିଦ ମାନଙ୍କ ପାଇଁ ଗନ୍ ସାଲୁଟ ଦେବା ପାଇଁ ସରକାର ପକ୍ଷ ରୁ ଅନୁମତି ମିଳିଯାଇଛି। ଗତକାଲି ସହିଦ ମାନଙ୍କୁ ସମର୍ପିତ ଏକ ସ୍ମାରକୀ ଫାଟକର ଉଦଘାଟନ ହୋଇଥିଲା ବୋଲି ସୂଚନା ଦେଇଥିଲେ।କେବଳ ସେତିକି ନୁହେଁ ଜେଜେ ସ୍କୁଲ ଅଫ ଆର୍ଟର ସହଯୋଗରେ ଏହା କୁ ଏକ କବାକ୍ଷାତ୍ମକ କ୍ଷେତ୍ର ରେ ବିକଶିତ କରାଯିବ ପାଇଁ ଯୋଜନା କରାଯାଇଛି ଯାହା ଦେଖିଲେ ଆଜି ବ ଜୀବନ୍ତ ପରି ଲାଗିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜ୍ ରେ କରାଯାଇଥିବା ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ