ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭ
ରଦଦଜ


ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସଦର ମହକୁମାରେ ତାଙ୍କର କାର୍ଯ୍ୟ, ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟଶୈଳୀକୁ ନେଇ ତାଙ୍କର ଲକ୍ଷ୍ୟଭିତ୍ତିକ ନେତୃତ୍ୱକୁ କୃତଜ୍ଞତା ଓ ସମ୍ମାନ ଜଣାଇ ଏକ ସମ୍ବର୍ଦ୍ଧନା ସଭା ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ସହିତ ତାଙ୍କ ସହଧର୍ମିଣୀ ଅବସରପ୍ରାପ୍ର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଲେ ଯେ, ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ୍ ରହିଛନ୍ତି । ସମସ୍ତଙ୍କର ଜ୍ଞାନର ଗଭୀରତା, ଦକ୍ଷତା ଓ ଗୁଣାତ୍ମକତାକୁ ସେ ପ୍ରଶଂସା କରିଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଶ୍ରୀ ଆହୁଜାଙ୍କର କାର୍ଯ୍ୟଶୈଳୀ କଠୋର ଶାସନ ପ୍ରବୃତ୍ତିଭିତ୍ତିକ ନ ହୋଇ ସର୍ବଦା ଗଠନମୂଳକ ଓ ପରାମର୍ଶଭିତ୍ତିକ ଥିଲା ବୋଲି ସେ ପ୍ରକାଶ କରିଥିଲେ । ତାଙ୍କର ମୁଖ୍ୟ ଶାସନ ସଚିବ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳତା, ସ୍ମୃତି ଆଧାରିତ ଏକ କ୍ଷୁଦ୍ର ପ୍ରାମାଣିକ ବୃତ୍ତ ଚିତ୍ର ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓ ବୈଠକରେ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କହିଲେ ଯେ, ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଲକ୍ଷ୍ୟଭିତ୍ତିକ ନେତୃତ୍ୱ ଦେଇଛନ୍ତି । ସେ ବିଭିନ୍ନ ବ୍ୟବସ୍ଥାରେ ଟେକ୍ନୋଲୋଜିଭିତ୍ତିକ ପରିବର୍ତ୍ତନ ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ ତାଙ୍କ ସମୟରେ ନୂତନ ସରକାରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ସେ ପ୍ରକାଶ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭତନନ୍‌, ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍‌, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ଆହୁଜାଙ୍କ ସହିତ ଜଡ଼ିତ ଦୀର୍ଘ ଦିନର ପ୍ରଶାସନିକ କାର୍ଯ୍ୟ ଅଭିଜ୍ଞତା, ବ୍ୟକ୍ତିଗତ ସଂପର୍କ, ସେମାନଙ୍କର ଅନୁକରଣୀୟ ଆଦର୍ଶ ଓ ମାନବୀୟ ଗୁଣର ମୂଲ୍ୟବୋଧ ଆଦି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

.............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande