ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ କୁବେରା ପଂଚାୟତ ଅଧୀନ ରହଣିଆସାହି ଗ୍ରାମ୍ୟରାସ୍ତାକୁ ଜଣେ ବ୍ୟକ୍ତି ଅବରୋଧ କରିଛନ୍ତି। ଏହି ଅବରୋଧକୁ ମୁକ୍ତ କରିବା ପାଇଁ ଗ୍ରାମବାସୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିବେଦନ କରିଛନ୍ତି। ଏହି ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତ ପାଇଁ ଲୋକେ ବିଭିନ୍ନ ସମସ୍ୟାରେ ପଡ଼ି ଦୁର୍ଦ୍ଦଶା ଭୋଗୁଛନ୍ତି। ସେମାନେ ରାସ୍ତାକୁ ଅବରୋଧମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ, ଜିଲ୍ଲାପାଳ, ତହସିଲଦାର, ବିଡିଓ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋମବାର ମଧ୍ୟାହ୍ଣରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଦର୍ଶାଇଛନ୍ତି ଯେ ଦେଉଳା ମୌଜାର ଖାତା ନଂ ୧୬୫୭, ପ୍ଲଟ ନଂ ୨୪୧୦/୨୬୮୭ରେ ଥିବା ଜମି ସର୍ବସାଧାରଣ ରାସ୍ତା। ଏହି ରାସ୍ତାର ଉନ୍ନୟନ ପାଇଁ ବିଭିନ୍ନ ସମୟରେ ସରକାରୀ ଅର୍ଥ ବିନିଯୋଗ ହୋଇଛି। ତେବେ ରାସ୍ତାର ଦକ୍ଷିଣ ଛକରୁ ଉତର ତରଫକୁ ପଶ୍ଚିମ ସଂଲଗ୍ନରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରବାଡ଼ି ରହିଛି। ସେହି ବ୍ୟକ୍ତିଜନକ ସର୍ବସାଧାରଣ ରାସ୍ତାରୁ ୩ଶହ ଫୁଟ ଲମ୍ବ ଓ ୨୦ ଫୁଟ ପ୍ରଶସ୍ତ ରାସ୍ତାକୁ ବାଡ଼ ଘେରାଇ ନିଜ ଜମା ସହ ସାମିଲ କରିନଇଛନ୍ତି। ଯାହାଦ୍ୱାରା ଗ୍ରାମକୁ ଦମକଳ କିମ୍ବା ଆମ୍ବୁଲାନ୍ସ ଯିବାରେ ସମସ୍ୟା ଉପୁଜୁଛି। ଗର୍ଭବତୀ ମହିଳାଙ୍କୁ ସଙ୍ଗୀରେ ଡାକ୍ତରଖାନାକୁ ନିଆଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାଛଡ଼ା ଗ୍ରାମବାସୀଙ୍କର ଯାତାୟାତରେ ମଧ୍ୟ ଘୋର ଅସୁବିଧା ସୃଷ୍ଟି ହେଉଛି। ରାସ୍ତା ନିର୍ମାଣ ପାଇଁ ମିଳୁଥିବା ଅର୍ଥ ମଧ୍ୟ ବିନିଯୋଗ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ରାସ୍ତାକୁ ଜବର ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ମଦନମୋହନ ନାୟକ, ମନୋଜ କୁମାର ନାୟକ, ପ୍ରଶାନ୍ତ ମଲ୍ଲିକ, ନିର୍ମଳ ମଲ୍ଲିକ, ସତ୍ୟଭାମା ମଲ୍ଲିକ, ସନ୍ନ୍ୟାସୀ ଖଟୁଆ, ଦୀନବନ୍ଧୁ ନାୟକ, ସୁରେନ୍ଦ୍ର ମଲ୍ଲିକ, ବନମାଳୀ ମଲ୍ଲିକ, ସୁକାନ୍ତି ମଲ୍ଲିକ, ବୀଣାପାଣି ମଲ୍ଲିକ, ଧନେଶ୍ୱର ନାୟକ, ଚକ୍ରଧର ନାୟକ, ମେନକା ବେହେରା, ଜାନକୀ ମଲ୍ଲିକ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ