ବଲାଙ୍ଗିର, ୧୮ ଫେବୃଆରୀ (ହି.ସ.)- ପୁଇଁତଳା ବ୍ଲକ ଅନ୍ତର୍ଗତ ସୂରଜମଲ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉନ୍ତପୁର ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ତତ୍ତ୍ବାବଧାନରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇ ଥିଲେ। ଆୟୋଜକ ବିଦ୍ୟାଳୟର ଶିକ୍ଷକ ମହେଶ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ। ବିଲେଇସର୍ଡା ସ୍କୁଲ ର ପ୍ରଧାନ ଶିକ୍ଷକ ସ୍ବାଧିନ ସାହୁ, ଛତାମଖନା ସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ଜାମଗୀଁ ସ୍କୁଲର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାହୁ, ଭାଲେର ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁ ମଂଚାସୀନ ଥିଲେ। ବୁବେଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗିରିଜା ବାଙ୍କି ବିଗତ ଅଧିବେଶନର ବିବରଣୀ ପାଠ କରିଥିଲେ।
ଏହି କାର୍ଯ୍ଯକ୍ରମରେ ଅପାର ଆଇଡି, ଏଲଇପି, ଉତ୍କର୍ଷ, ୟୁଡାଇସ ପ୍ଲସ, ଖାନ ଏକାଡେମୀ, ପଞ୍ଚସଖା ଶିକ୍ଷା ସେତୁରେ ସଭ୍ଯ ସଂଖା ବୃଦ୍ଧି, ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର, ଏସ୍ଆଇଓଏସ୍ ରେ ନାମଲେଖା, ବିଦ୍ୟାଳୟରେ ନିରାପତ୍ତା, ଗ୍ରୀଷ୍ମକାଳ ପାଇଁ ବିଦ୍ୟାଳୟର ସୁବ୍ଯବସ୍ଥା, ଏଫଏଲଏନ ଶ୍ରେଣୀରେ ଉତ୍ତମ ଶିକ୍ଷାଦାନ, ଅଭିଭାବକଙ୍କ ସହ ସୁସମ୍ପର୍କ ସ୍ଥାପନ, ପ୍ରଥମ ନାମଲେଖା ବେଳେ ବିଦ୍ୟାର୍ଥୀଙ୍କ ଜନ୍ମ ପ୍ରମାଣ ପତ୍ର ଉପରେ ଗୁରୁତ୍ବ ପ୍ରଦାନ, ଶ୍ରେଣୀ ପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ ତଦାରଖ, ଅନୁପସ୍ଥିତ ଛାତ୍ର ଛାତ୍ରୀମାନଙ୍କ ନିୟମିତ ଉପସ୍ଥାନକୁ ସୁନିଶ୍ଚିତ କରିବା, ନିୟମାନୁସାରେ ଛୁଟିପାଇଁ ଆବେଦନ, ଚଳିତ ମ୍ଯାଟ୍ରିକ ପରୀକ୍ଷା ପାଇଁ ଶୃଙ୍ଖଳିତ ପଦକ୍ଷେପ, ଜାତୀୟ ଶିକ୍ଷାନୀତି-୨୦୨୦ ବିଷୟ ଉପରେ ମିଳିତ ଭାବେ ଆଲୋଚନା କରିଥିଲେ। ସଭାପରେ ସମସ୍ତ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହ, ବିଜ୍ଞାନାଗାର, ଇ-ପାଠାଗାର, ଶୌଚାଳୟ ଏବଂ ବିଦ୍ୟାଳୟର ପରିବେଶ ପରିଦର୍ଶନ କରିବା ସହିତ ଶିକ୍ଷକଙ୍କ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ ଏବଂ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।
ଏହି କାର୍ଯ୍ଯକ୍ରମରେ ବ୍ଲକ ର ୨୪ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ