ସମ୍ବଲପୁର , ୧୮ ଫେବୃୟାରୀ (ହି.ସ.)
ପ୍ରହସନ ପାଲଟିଛି ଜନଅଭିଯୋଗ ଶୁଣାଣି ଏଭଳି ତୀର୍ଯ୍ଯକ ଶାଣିତ ଭାଷା ଶୁଣାଇଛନ୍ତି ବରିଷ୍ଠ ଚାଷୀ ହରମୋହନ ପଟେଲ। ହରଙ୍କ କହିବା ଅନୁଯାଇ ୨୦୨୦ ମସିହାରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ ଅଭିଯୋଗ ନାଁ ସରକାର ଶୁଣୁଛନ୍ତି, ନାଁ ସରକାରୀ ବାବୁମାନେ ଶୁଣୁଛନ୍ତି । ୨୦୧୮ ମସିହାରେ ସୁପ୍ରଭା ପଟେଲ ନାମକ ଜଣେ ମହିଳା ଚାଷୀ ତାଙ୍କ ଇନ୍ସୁରାନ୍ସ ବକେୟା ଟଙ୍କା ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରିଣାମ ମିଳିପାରୁନାହିଁ । ଯାହା ଫଳରେ ସରକାର ଓ ସରକାରୀ ବାବୁମାନଙ୍କ ଠାରୁ ଭରସା ଉଠି ଗଲାଣି ବୋଲି କହିଛନ୍ତି ଶୁପ୍ରଭା। ୨୦୧୮ ମସିହାରେ ଶୁପ୍ରଭା ନିଜ ଚାଷ ଜମିରେ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା କରିଥିଲେ ଓ ଏହି ସମୟରେ ସରକାର ଆମ ଅଞ୍ଚଳକୁ ମରୁଡି ଘୋଷଣା କରିଥିଲେ । ହେଲେ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଥିବା ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ତାଙ୍କୁ ସମ୍ପୂର୍ଣ ବୀମା ଟଙ୍କା ପ୍ରଦାନ କରିନଥିଲା ଓ ସେ ତାଙ୍କ ଏହି ବୀମା ଟଙ୍କା ପ୍ରଦାନ ପାଇଁ ୨୦୨୦ ମସିହାରୁ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ସି.ଡ଼ି.ଏ.ଓ ଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ ବାକେୟା ଟଙ୍କା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ ବୋଲି କହିଛନ୍ତି ହର। ଏପରିକି ଗତ ମାସ ୧୩ ତାରିଖରେ ଜମନକିରା ଠାରେ ହୋଇଥିବା ଜନଅଭିଯୋଗ ଶୁଣାଣି ନମ୍ବର ୧୩୦୧୨୫୦୫୧ରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବନ୍ଦୋରଙ୍କୁ ଅଭିଯୋଗ ଜଣାଇଥିଲି । ଆଗାମୀ ୭ ଦିନରେ ଏହାର ସମାଧାନ ପାଇଁ ସେ ତାଙ୍କ ଅଧିନସ୍ତ ଅଧିକାରୀଙ୍କୁ କହିଥିଲେ । ହେଲେ ଅଭିଯୋଗକୁ ଏକ ମାସ ବିତିଯାଇ ଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇପାରିନାହିଁ। ସେହିପରି ଜାନୁଆରୀ ୨୦ତାରିଖରେ ପୁଣି ସମ୍ବଲପୁର ଜିଲ୍ଲାପାଳ ଏବଂ ସି.ଡ଼ି.ଏ.ଓଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲେ ମଧ୍ୟ ବାକେୟା ଇନ୍ସୁରେନ୍ସ ଟଙ୍କା ମିଳିପାରିନାହିଁ । ପ୍ରକୃତରେ ଯଦି ଏହି ଅଭିଯୋଗ ଶୁଣାଣିରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ ତା ହେଲେ ଏଭଳି କାର୍ଯ୍ୟକ୍ରମ କେଉଁ କାରଣରୁ କରାଯାଉଛି ଓ କାହିଁକି ସାଧାରଣ ଲୋକଙ୍କ ସମୟ ନଷ୍ଟ କରି ତାଙ୍କ ବିଶ୍ୱାସକୁ ଖଣ୍ଡନ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ହେଲେ କେବଳ ଏହା ଗୋଟିଏ ନୁହେଁ ଏଭଳି ଅନେକ ଅଭିଯୋଗ ସରକାରୀ କାର୍ଯ୍ୟାଳୟ ଓ ବାବୁ ମାନଙ୍କ ଡାଏରୀ ତଳେ ଦବି ପଡ଼ିଛି ବୋଲି କିଛି ସଚେତନ ନାଗରିକମାନେ ପ୍ରକାଶ କରିଛନ୍ତି। ସେହିପରି ହରମୋହନ ପଟେଲ କହିଛନ୍ତି ଯଦି ପ୍ରଶାସନ ପକ୍ଷରୁ ଆଗାମୀ ୭ ଦିନରେ ଏହାର ସମାଧାନ କରି ଶୁପ୍ରଭାଙ୍କୁ ଟଙ୍କା ପ୍ରଦାନ କରାନଯାଏ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ତାଙ୍କ ଅଭିଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କ ରେ ସମ୍ବଲପୁର ସି.ଡ଼ି.ଏ.ଓ ହେମନ୍ତ ଜେନା ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ