କନ୍ଧମାଳ, ୧୮ ଫେବୃଆରୀ (ହି.ସ.)- କନ୍ଧମାଳରେ ଚଳିତ ବର୍ଷ ଶୀତର ପ୍ରକୋପ ନଗଣ୍ଯ ଥିବାବେଳେ ଫେବୃଆରୀ ମାସରୁ ହିଁ ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭୂତ ହେଉଛି। ଆଗକୁ ସମଗ୍ର କନ୍ଧମାଳରେ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ଯାପକ ସଚେତନତା ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଫୁଲବାଣୀ ବନାଞ୍ଚଳ ଅନ୍ତର୍ଗତ ମୁଳାରୁଜାଙ୍ଗୀ ଗ୍ରାମରେ ଆଜି ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ହେଲେ ପ୍ରକୃତି ମଧ୍ୟ ସୁରକ୍ଷିତ ରହିବ ତେଣୁ ଯେକୌଣସି ବ୍ୟକ୍ତି ଅଜ୍ଞତା ବସତଃ କିମ୍ବା ଜାଣିଶୁଣି ନିଆଁ ଲଗାଉଛନ୍ତି ସେମାନେ ଆଇନତଃ ଅପରାଧୀ ଅଟନ୍ତି। ସେମାନଙ୍କୁ ଏଥିରୁ ବାରଣ କରିବା ସହିତ ଜଙ୍ଗଲରେ ନିଆଁ ଲାଗିଥିଲେ ତୁରନ୍ତ ତାକୁ ଲିଭାଇବା କିମ୍ବା ବନ ସଂରକ୍ଷଣ ସମିତି ଓ ଜଙ୍ଗଲ ବିଭାଗର ବନପାଳଙ୍କୁ ସୁଚନା ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବଣୀ ର ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ, ଜଙ୍ଗଲ ନ ରହିଲେ ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବା ସହ ପ୍ରକୃତରେ
ବିପର୍ଯ୍ୟୟ ଦେଖା ଦେବ। ଏପରି ପରିସ୍ଥିତି ରହିଲେ ମନୁଷ୍ଯ ସମାଜକୁ ପାଣି ଓ ଅମ୍ଳଜନ ମମଧ୍ୟ ମିଳିବ ନାହିଁ। ଫଳରେ ମନୁଷ୍ଯ ଏବଂ ଜୀବ ଜଗତ ଲୋପ ପାଇଯିବ । ଜଙ୍ଗଲ ଗ୍ରାମବାସୀଙ୍କ ସମ୍ପଦ ଅଟେ ତାର ସୁରକ୍ଷା ସେମାନଙ୍କ ଦାୟିତ୍ଵ ବୋଲି କହିଥିଲେ।
କାର୍ଯ୍ୟକ୍ରମକୁ ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ପରିଚାଳନା କରିଥିଲେ। ପରେ ଉପସ୍ଥିତ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ର ସଦସ୍ୟ ମାନଙ୍କୁ ଅଂଚଳର ବନପାଳ ସରୋଜ କୁମାର ମିଶ୍ର ଜଙ୍ଗଲ ସୁରକ୍ଷା ପାଇଁ ଏକ ଶପଥ ପାଠ କରାଇଥିଲେ। ଶେଷରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଊପସ୍ଥିତ ସମସ୍ତ ବନ ସଂରକ୍ଷଣ ସମିତି ଓ ମହିଳା ମାନଙ୍କୁ ବସ୍ତ୍ର ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ବନ ସଂରକ୍ଷଣ ସମିତିର ସଭାପତି ହରପ୍ରସାଦ କହଁର ଓ ଜଙ୍ଗଲ ବିଭାଗ ର କର୍ମଚାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ବିଦ୍ଯୁତଲତା କହଁର, ଗାୟତ୍ରୀ ଗୌଡ, ଲିଜା ପାଢ଼ୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ