ବଲାଙ୍ଗୀର, ୧୮ ଫେବୃଆରୀ(ହି.ସ.) – ମାଧିଆପାଲି ପଂଚାୟତ ର ବୀରମୁଣ୍ଡା ଠାରେ ରବିଚନ୍ଦନ ସ୍ମୃତି କମିଟି ତରଫରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି। ୫ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ଏହି ଅଂଚଳର ୧୬ ଗୋଟି ଦଳ ଭାଗ ନେଇଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳ କୁଟୁମଡୋଳା ଓ ଖୁଂଟପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କୁଟୁମଡୋଳା ଏକାଦଶ ଖୁଣ୍ଟପାଲି ଏକାଦଶ ଠାରୁ ୫ ୱିକେଟ ରେ ବିଜୟୀ ହୋଇ ଚମ୍ପିୟାନ ଘୋଷିତ ହୋଇଅଛି। ଉଦ୍ଯାପନି ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କହିଥିଲେ ଏ ଅଂଚଳରେ ଖେଳ ପଡିଆ ନ ଥିବା ସତ୍ୱେ ଖେଳାଳିମାନେ ହତୋତ୍ସାହିତ ନ ହୋଇ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ବର୍ଷରେ ପହଂଚାଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ଯେପରି ଭିତିଭୂମି ନ ଥାଇ ଅତିତରେ ଅନେକ ହକି ଖେଳାଳି ବାହାରିଥିଲେ ଏବଂ ପରବର୍ତି ସମୟରେ ସରକାର ବାଧ୍ୟ ହୋଇ ସେ ଅଂଚଳର ହକି ଭିତିଭୂମିକୁ ବିକାଶ କରିଥିଲା ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି। ଆମେ ଧର୍ଯ୍ୟହରା ନହୋଇ ଖେଳ ଓ ପ୍ରତିଯୋଗିତା ଆୟୋଜନକୁ ଜାରି ରଖିବା ଦରକାର। ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଆମକୁ ଭିତିଭୂମି ଯୋଗାଇବାକୁ ସହାୟକ ହେବ। ମୁଁ ଚେଷ୍ଟା କରିବି ଏ ଅଂଚଳରେ ଜମିର କିସମକୁ ଦେଖି କେଉଁଠି ଯୁବକମାନଙ୍କ ପାଇଁ ଏକ ଖେଳ ପଡିଆ ତିଆରି କରିହେବ ସେ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀ ମିଶ୍ର କହିଥିଲେ। ଶ୍ରୀ ମିଶ୍ର ଚମ୍ପିୟାନ ଦଳକୁ ନଗଦ ରାଶି ୧୪ହଜାର ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ରନର୍ସ ଦଳକୁ ୧୦ହଜାର ଟଙ୍କା ନଗଦ ରାଶି ପୁରସ୍କୃତ କରାଯାଇଥିଲା। ଫାଇନାଲ ଖେଳ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବୁଲୁ ବାରିକ କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ବୀରମୁଣ୍ଡା ଅଂଚଳର ରୋଶନ ପ୍ରଧାନ, ମନୁ ନାଗ, ଶିଶୁପାଲ ସୁନା, ଋଷି ମହାନନ୍ଦ, ଟୁନା ନାଗ, ରଶ୍ମି ରଂଜନ ସାଗର ପରିଚାଳନା କରିଥିବା ବେଳେ ଗୌନ୍ତିଆ ତ୍ରିନାଥ ରାଉତ ଓ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ