୬ ଲେନ୍ ଓ ୩.୪୪ କିଲୋମିଟର ବିଶିଷ୍ଟ ହେବ ସମ୍ବଲପୁର ଏଲିଭେଟେଡ଼ କରିଡ଼ର
ସମ୍ବଲପୁର, ୧୮ ଫେବୃଆରୀ (ହି.ସ.)- ସହର ଦେଇ ଯାଇଥିବା କୋଲକାତା-ମୁମ୍ବାଇ ଜାତୀୟ ରାଜପଥ ଓ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେକୁ ସଂଯୋଗ କରୁଥିବା ଅଇଁଠାପାଲି ଛକରେ ପ୍ରସ୍ତାବିତ ଏଲିଭେଟେଡ଼୍ କରିଡ଼ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ନିର୍ମା
୬ ଲେନ୍ ଓ ୩.୪୪ କିଲୋମିଟର ବିଶିଷ୍ଟ ହେବ ସମ୍ବଲପୁର ଏଲିଭେଟେଡ଼ କରିଡ଼ର


ସମ୍ବଲପୁର, ୧୮ ଫେବୃଆରୀ (ହି.ସ.)- ସହର ଦେଇ ଯାଇଥିବା କୋଲକାତା-ମୁମ୍ବାଇ ଜାତୀୟ ରାଜପଥ ଓ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେକୁ ସଂଯୋଗ କରୁଥିବା ଅଇଁଠାପାଲି ଛକରେ ପ୍ରସ୍ତାବିତ ଏଲିଭେଟେଡ଼୍ କରିଡ଼ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବାକୁ ଧାର୍ଯ୍ୟ ହୋଇଛି। ଏଥିପାଇଁ ୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍‌ଏଚ୍‌ଏଆଇ) ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ ସାହୁ କହିଛନ୍ତି ଯେ, ଏହି ପ୍ରକଳ୍ପ ୬ ଲେନ୍ ବିଶିଷ୍ଟ ହେବ । ଏହାର ଦୈର୍ଘ୍ୟ ୧.୨ କିଲୋମିଟର ଫ୍ଲାଏଓଭରକୁ ମିଶାଇ ୩.୪୪ କିଲୋମିଟର ହେବ । ଏହାର ଚଉଡ଼ା ୧୪.୫ ମିଟର ରହିବ ଓ ଏଥିରେ ପାଦଚଲା ରାସ୍ତା ମଧ୍ୟ ରହିବ । ଏଥି ସହିତ ଫ୍ଲାଇଓଭର ତଳେ ବିଭିନ୍ନ ସ୍ଥାନରେ ସର୍ଭିସ୍ ରାସ୍ତା, ଡ୍ରେନ୍‌, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିିନ୍ନ ସୁବିଧା ରହିବ । ଏହି ଫ୍ଲାଇଓଭର ବା ଏଲିଭେଟେଡ କରିଡ଼ର ଦୁଇଟି ବଡ଼ ଛକ ଉପର ଦେଇ ଯିବ । ଯଦ୍ୱାରା ଏହି ବ୍ୟସ୍ତବହୁଳ ଇଲାକାରେ ଭାରି ଯାନଗୁଡ଼ିକ ଫ୍ଲାଇଓଭର ଉପରେ ଯା' ଆସ କରିବାକୁ ଥିବାରୁୁ ସହରରେ ଟ୍ରାଫିକ୍ ସମସ୍ୟା ନିରାକରଣ ହୋଇପାରିବ ବୋଲି କୁହାଯାଉଛି ।

ବହୁ ବର୍ଷ ହେଲା ଏହି ବ୍ୟସ୍ତବହୁଳ ଅଇଁଠାପାଲି ଛକରେ ଫ୍ଲାଏଓଭର ପାଇଁ ଦାବି ହୋଇଆସିଛି । ସହର ମଧ୍ୟରେ ଥିବା ଅଇଁଠାପାଲି ଛକ ଦେଇ ପ୍ରତ୍ୟହ ହଜାର ହଜାର ଭାରି ଯାନ ଓ ବସ୍ ଯା’ ଆସ କରୁଛି । ଯଦ୍ୱାରା ଦୁର୍ଘଟଣା ଓ ଟ୍ରାଫିକ୍ ସମସ୍ୟାର ନିରାକରଣ ପାଇଁ ଉର୍ଦ୍ଧ୍ୱ ସେତୁ ସକାଶେ ଦାବି ହୋଇ ଆସିଥିଲା ।

୨୦୧୭ରେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଏନ୍‌ଏଚ୍‌ଏଆଇ ଅନୁମୋଦନ କରିଥିଲା । ୨୦୨୦ରେ ନିର୍ଦ୍ଧାରିତ ପ୍ରକଳ୍ପ ଜାଗାରେ ମୃତ୍ତିକା ପରୀକ୍ଷା କରାଯାଇଥିଲେ ମଧ୍ୟ ଯୋଜନା ଆଗେଇ ପାରୁ ନଥିଲା । ଜାତୀୟ ରାଜପଥ ସଂଖ୍ୟା ୫୩ର ପ୍ରାୟ ୧୨ କିଲୋମିଟର ଅଂଶ ସମ୍ବଲପୁର ସହରର ଅଇଁଠାପାଲି ଛକ ଦେଇ ଯାଇଛି । ଅଇଁଠାପାଲି ଛକରେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ସଂଯୋଗ କରୁଥିବା ବେଳେ ଅଇଁଠାପାଲିରେ ଦୁଇଟି ଛକ ରହିଛି । ସହର ମଧ୍ୟରୁ ଓ ହୀରାକୁଦ ଏୟାରଷ୍ଟ୍ରିପ୍‌ରୁ ଆଉ ଦୁଇଟି ମୁଖ୍ୟ ରାସ୍ତା ଅଇଁଠାପାଲି ଛକକୁ ସଂଯୋଗ କରୁଛି । ଛକରେ ନୂଆବସ୍ ଟର୍ମିନସ୍‌ରେ ପ୍ରତ୍ୟହ ହାରାହାରି ୫ଶହ ବସ୍ ଯା’ଆସ କରିଥାଏ । ଏହି ପରିପ୍ରେକ୍ଷୀରେ ଅଇଁଠାପାଲିର ଦୁଇଟି ଯାକ ଛକରେ ସବୁବେଳେ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି । ଏଲିଭେଟେଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଅନ୍ତତଃ ଦୂରଗାମୀ ଭାରୀଯାନ ଓ ବସ୍‌ ଗୁଡ଼ିକ ସହର ଭିତର ରାସ୍ତା ପରିବର୍ତ୍ତେ ଉର୍ଦ୍ଧ୍ୱ ସେତୁ ଉପରେ ଯା’ ଆସ କଲେ ଟ୍ରାଫିକ୍ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି କୁହାଯାଉଛି । ଏଥି ସହିତ ଏହି ଫ୍ଲାଇଓଭର ପାଖରେ ଜାତୀୟ ରାଜପଥ ଉପରେ ଏକ ରେଳବାଇ ଓଭରବ୍ରିଜ୍‌ ର ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande