ଗୌରାଙ୍ଗ ଚରଣ ଦାସ ସେବା ପାଇଁ ସମର୍ପିତ ମଣିଷ ଥିଲେ ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶୀଭୂଷଣ ଦାସଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର, ୧୯ ଫେବୃୟାରୀ (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କୃଷକ ନେତା ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ୫୩ତମ ଓ ସଂଗ୍ରାମୀ ସ୍ୱର୍ଗତ ଶଶୀଭୂଷଣ ଦାସଙ୍କ ୧୪ତମ ଶ୍ରାଦ୍ଧ ଦିବସ ରାଜ୍ୟ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ସ୍ମାରକୀ ନ୍ୟାସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
ଗୌରାଙ୍ଗ ଚରଣ ଦାସ ସେବା ପାଇଁ ସମର୍ପିତ ମଣିଷ ଥିଲେ ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶୀଭୂଷଣ ଦାସଙ୍କ ସ୍ମୃତିଚାରଣ ସଭା


ଭୁବନେଶ୍ୱର, ୧୯ ଫେବୃୟାରୀ (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କୃଷକ ନେତା ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ୫୩ତମ ଓ ସଂଗ୍ରାମୀ ସ୍ୱର୍ଗତ ଶଶୀଭୂଷଣ ଦାସଙ୍କ ୧୪ତମ ଶ୍ରାଦ୍ଧ ଦିବସ ରାଜ୍ୟ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ସ୍ମାରକୀ ନ୍ୟାସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସ ଓ ସ୍ୱର୍ଗତ ଶଶୀଭୂଷଣ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁଗୋ କହିଲେ ଯେ, ଆଜିର ଯୁବପିଢିକୁ ଏହି ସଂଗ୍ରାମୀମାନଙ୍କ ଗୌରବର ଗାଥା ବିଷୟରେ ଜାଣିବାର ଅବକାଶ ଆମେ ଦେଇପାରି ନାହୁଁ। ଗୌରାଙ୍ଗ ଚରଣ ଦାସଙ୍କ ଜୀବନ କାହାଣୀ ଅତ୍ୟନ୍ତ ରୋମାଞ୍ଚକର। ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଥିଲେ। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ଅବିଭକ୍ତ କଟକ ଜିଲ୍ଲାର ବାଗଲପୁର ସ୍ୱାଧୀନତା ସଂଗ୍ରାମର ଏକ ମହାନ ପୀଠ। ଗୋଟିଏ ଗାଁର ୧୯ଜଣ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ। ଗୌରାଙ୍ଗ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପୁଅ ଶଶୀଭୂଷଣ ଦାସ ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ।

ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥି ଶ୍ରଦ୍ଧାଞ୍ଜଳି ଜଣାଇ ଗୌରାଙ୍ଗ ବାବୁଙ୍କୁ କେବଳ ସ୍ୱାଧୀନତା ସଂଗ୍ରାମୀ କହିଲେ ଭୁଲ୍ ହେବ, ସେ ଥିଲେ ବିପ୍ଲବୀ। ଗୋଟିଏ ହାତରେ ନଦୀ ପାର ହୋଇ ବ୍ରିଟିଶ ପୋଲିସ୍‌କୁ ଚକମା ଦେଖାଇବାର ସାହସ ତାଙ୍କ ପାଖରେ ଥିଲା। ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସଙ୍କ ସ୍ୱାଧୀନତା ପରବର୍ତୀ ସମୟରେ ଦେଶ ଗଠନ ପାଇଁ ଯେଉଁ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହା ଏବେ ମଧ୍ୟ ଇତିହାସ।

ସମ୍ମାନିତ ଅତିଥି ଭାବେ ପ୍ରଫେସର ବୁଦ୍ଧଦେବ ମିଶ୍ର କହିଲେ ଯେ, ଗୋଟିଏ ପରିବାରରୁ ବାପପୁଅ ସଂଗ୍ରାମରେ ଝାସ ଦେବା ଓ କାରାବରଣ କରିବା ଏକ ବିରଳ ଘଟଣା। ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଗୌରାଙ୍ଗ ଚରଣ ଦାସ ଓ ଶଶୀଭୂଷଣ ଦାସଙ୍କ ତ୍ୟାଗ, ନିଷ୍ଠା ଓ ସଂକଳ୍ପର ମୂଲ୍ୟାୟନ ଆଜିର ଯୁବପିଢି କରିପାରିବେ ନାହିଁ। ସ୍ୱାଧୀନତା ସଂଗ୍ରାମୀ ପରିବାରର ଦୀପଶିଖା ଶ୍ରୀମତୀ କ୍ରିଷ୍ଣା ମହାନ୍ତି, ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ପ୍ରମୁଖ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଟ୍ରଷ୍ଟି ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ସଂଗ୍ରାମୀ ଫୋରମ୍‌ର ପ୍ରଶାନ୍ତ ଦାସ ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande