କେଉଁଝର, ୧୯ ଫେବ୍ରୁଆରି (ହି.ସ.) - କେନ୍ଦୁଝର ଭୁଅର୍ଜନ (ସାଧାରଣ )ଉପ ବିଭାଗ ର ଅଧିକାରୀ ତଥା ଡେପୁଟି କାଲେକ୍ଟର ବରିଷ୍ଠ ଓ ଏ ଏସ ଅଫିସର ଶରତ କୁମାର ଗିରି ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ରାଜପଥ ୨୦ (ପୂର୍ବର ଏନ ଏଚ ୨୧୫) ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ସମୟରେ ଚିତ୍ରସେନ ପରିବାରର ଦେଢ଼ ଏକର ଜମି ଯାଇଛି। ପୂର୍ବରୁ ସେମାନେ ଅଧା ଟଙ୍କା ପାଇ ସାରିଛନ୍ତି। ବର୍ତମାନ ସେମାନଙ୍କର ୬,୯୬,୯୯୬ଟଙ୍କା ବିଲ ପାଇଁ ସମ୍ପୃକ୍ତ ଡେପୁଟି କଲେକ୍ଟର ୭୦ ହଜାର ଲାଂଚ ଦାବୀ କରି ଆସୁଥିଲେ। କିନ୍ତୁ ପରବର୍ତୀ ସମୟରେ ୫୦ ହଜାର ଦେବାକୁ ସେ ଦାବୀ ରଖିଥିଲେ। ଏବାବଦରେ ଚିତ୍ରସେନ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏକ ମାମଲା ରୁଜ୍ଜୁକରି ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ କାର୍ଯ୍ୟାଳୟ ରେ ସଂପୃକ୍ତ ଲାଂଚୁଆ ଅଧିକାରୀ ବରିଷ୍ଠ ଓ ଏସ୍ ଅଧିକାରୀ ଶରତ ଗିରୀ , ଚିତ୍ରସେନଙ୍କ ଠାରୁ ୫୦ ହଜାର ଲାଂଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଥିଲା। ଏବେ ବି ଛଡାଉ ଚାଲିଛି। ଲାଂଚୁଆ ଓଏଏସ ଅଧିକାରୀଙ୍କର ପୁରୀ ସ୍ଥିତ ପୌତୃକ ବାସ ଭ୍ୱନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ବାଲେଶ୍ୱର ଭିଜିଲାନ୍ସ ଏସ ପି ରାହୁଲ ପି ଆର ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ସମ୍ପୃକ୍ତ ଅଧିକାରୀ ଜଣଙ୍କ ଜାତୀୟ ରାଜପଥ ୨୧୫(ବର୍ତମାନର ଜାତୀୟ ରାଜପଥ ୨୦) ସ୍ୱତନ୍ତ୍ର ଭୁଅର୍ଜନ ତଥା କ୍ଷମତାପନ୍ନ ପ୍ରାଧିକରଣ ଅଧିକାରୀ ଏବଂ ଭୁଅର୍ଜନ (ସାଧାରଣ) ଉପ ବିଭାଗ ଅଧିକାରୀ ଦାୟିତ୍ୱରେ ଅଛନ୍ତି। ତଦନ୍ତ ଚାଲିଥିବାରୁ ସବିଶେଷ ତଥ୍ୟ ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି