ବଲାଙ୍ଗିର, 20 ଫେବ୍ରୁଆରି (ହି.ସ.)
ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ମାନ୍ୟବର ବିଚାରପତି କୁନମୁନ ଆଚାରୀ ସହକାରୀ ଫୌଜଦାରୀ ଓ ବରିଷ୍ଠ ଦେୱାନି ଅଦାଲତ ଏଲ୍.ଆର.ଏଣ୍ଡଏଲ୍.ଟି.ଭି, ବଲାଙ୍ଗିର, ବଲାଙ୍ଗିର ସେସନ୍ସ୍ କେସ ନଂ.୭୬/୩୮ ସନ୍ ୧୯୯୫ ବିଚାର କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସୁଦାମ ବିଶ୍ୱାଳ ଓ ସହଯୋଗୀ ରତନ ବିଶ୍ୱାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡ ସଂହିତା ୩୨୬ ଓ ୩୦୭ ଉଭୟଙ୍କୁ ଉଭୟ ଧାରାରେ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟରେ ଅଧିକ ଦୁଇ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
ସୂଚନାନୁସାରେ ଗତ ତା.୩୦.୦୬.୨୦୧୫ ମସିହାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନା ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ସୁଦାମ ବିଶ୍ୱାଳ ତାର ସଂପର୍କିୟ ଭାଇ ରତନ ବିଶ୍ୱାଳ ମିଶି ଉକ୍ତ ଗ୍ରାମର ସଂଜୀବ ବିଶ୍ୱାଳଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଟାଙ୍ଗିଆ ଦ୍ୱାରା ଅତର୍କିତ ମାରାଣନ୍ତକ ଆକ୍ରମ କରି ହାଣି ଲହୁଲୁହାଣ କରି ଘଟଣାସ୍ଥଳରୁ ପଳାୟନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସଂଜିବ କୁ ଲୋଇସିଂହା ଥାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ସ୍ୱାସ୍ଥ୍ୟ ସଂକଟାପୂର୍ଣ୍ଣ ହେବାରୁ ବୁର୍ଲ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ । କ୍ଷତାକ୍ତ ସଂଜିବର ଭାଇ ରଂଜିତ ବିଶ୍ୱାଳ ଆସି ଲୋଇସିଂହା ଥାନାରେ ଏତଲା ଦେଇଥିଲେ । ଉକ୍ତ ମକଦ୍ଦମା ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ବୈଷ୍ଣବ ଚରଣ ସାହୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ