ଭୁବନେଶ୍ୱର , 20 ଫେବୃଆରୀ (ହି.ସ.)- ଆଗାମୀ ବନାଗ୍ନି ଋତୁରେ ଜଙ୍ଗଲଗୁଡ଼ିକରେ ଅଗ୍ନି ନିର୍ବାପନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ ହେଲା :-ବନାଗ୍ନି ଋତୁ ର ଯଥେଷ୍ଟ ପୂର୍ବରୁ ନଭେମ୍ବର/ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟ ଯୋଜନା) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି, ଯଦ୍ୱାରା ଅନ୍ୟ ବିଭାଗଗୁଡ଼କର ଦରକାରବେଳେ ସହାୟତା ମିଳିପାରୁଛି ।
ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା ସୃଷ୍ଟି କରାଯାଇଅଛି ।
ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର୍ଯ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ସଠିକ୍ ସ୍ଥାନରେ ପ୍ରଦର୍ଶନ କରାଯାଇଛି ଏବଂ ବନାଗ୍ନି ନିର୍ବାପନ ମକ ଡ୍ରିଲ ଇତ୍ୟାଦି କରାଯାଉଅଛି ।
ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇଅଛି ଓ ବନାଗ୍ନି ନିର୍ବାପନ ନିମନ୍ତେ ଆବଶ୍ୟକ ପରିମାଣ ଅଗ୍ନି ନିର୍ବାପକ ବାହନ ଅଗ୍ନି ନିର୍ବାପକ ଉପକରଣ, ଅଗ୍ନି ସୁରକ୍ଷା ଉପକରଣ ଇତ୍ୟାଦି ପ୍ରଦାନ
କରାଯାଇଛି ।
ବନାଗ୍ନି ନିର୍ବାପନ ନିମନ୍ତେ ୩୩୪ ଗୋଟି ଅଗ୍ନି ସୁରକ୍ଷା ଦଳ /ଫାୟାର ପ୍ରୋଟେକ୍ଶନ ସ୍କ୍ୱାର୍ଡ (ଗଠନ
କରାଯାଇଅଛି । ବନାଗ୍ନି ପ୍ରଶମନରେ ସକ୍ରିୟ ଭାଗିଦାରୀକୁ ଅନୁଭବ କରି ଆବଶ୍ୟକ ମୁତାବକ ବନ ସୁରକ୍ଷା ସମିତି ର ସମ୍ପୃକ୍ତି ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯାଉଛି ।
ରିଅଲ ଟାଇମ୍ ଆଧାରରେ ଏଲର୍ଟ ଚିହ୍ନଟ ଏବଂ ଏହାକୁ ପଠାଇବା ନିମନ୍ତେ ଗତବର୍ଷ ଶିମିଳିପାଳରେ ୫ ଗୋଟି ଏଆଇ/ଏମଏଲ କ୍ୟାମେରା ଲଗାଯାଇଛି ।
ରାଜ୍ୟ ମୁଖ୍ୟ ଦପ୍ତର ଓ ବନଖଣ୍ଡ ଦପ୍ତରରେ, ବନାଗ୍ନି ପରିଚାଳନା ନିମନ୍ତେ ୨୪X ୭ କଣ୍ଟ୍ରୋଲ ରୁମ୍ ସ୍ଥାପନ
କରାଯାଇଛି ।
ବନାଗ୍ନି ସଙ୍କେତ ଗ୍ରହଣ କରିବା ନିମନ୍ତେ ବନ ସର୍ବେକ୍ଷଣ ସଂସ୍ଥା ର ୱେବସାଇଟ ସହିତ କାର୍ଯ୍ୟାଳୟର ମୋବାଇଲ ନମ୍ବର ଓ ରେଞ୍ଜ, ସେକ୍ସନ, ବିଟ ସ୍ତରୀୟ କର୍ମଚାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକୃତ କରାଯାଇଛି ।
ଭାରତରେ ଜଙ୍ଗଲ ଅଗ୍ନିକାଣ୍ଡକୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍.ଏସ୍.ଆଇ), ଡେରାଡୁନ୍ ଦ୍ୱାରା ତଦାରଖ କରାଯାଉଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍.ଏସ୍.ଆଇ), ଡେରାଡୁନ୍ ସମସ୍ତ ଫରେଷ୍ଟ ଫାୟାର ପଏଣ୍ଟକୁ ରାଜ୍ୟ ସହିତ ଯୋଗଯୋଗ କରନ୍ତି । ସମସ୍ତ ଫାୟାର ପଏଣ୍ଟଗୁଡ଼ିକ ସମ୍ପୃକ୍ତ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଓଏଫଏମଏସ ପୋର୍ଟାଲ ମାଧ୍ୟମରେ ତାଙ୍କର ମୋବାଇଲ ଆପରେ ଡାଉନଲୋଡ୍ କରାଯାଇଥାଏ । ପଏଣ୍ଟ ଡାଉନଲୋଡ୍ କରିବା ପରେ, ନିୟୋଜିତ ଜଙ୍ଗଲ ଅଧିକାରୀ ନିଆଁକୁ ଆୟତ୍ତ କରିଥାନ୍ତି ଏବଂ ଫଟୋଗ୍ରାଫ ସହିତ ସବିଶେଷ ତଥ୍ୟ ଓଏଫଏମଏସ ର ମୋବାଇଲ ଆପ୍ ମାଧ୍ୟମରେ ଓଏଫଏମଏସ ପୋର୍ଟାଲରେ ଅପଲୋଡ୍ କରିଥାନ୍ତି ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ