ଭଦ୍ରକ, ୨୦ ଫେବୃୟାରୀ (ହି.ସ.) - ‘ ମୁଁ ଓଡ଼ିଆ, ମୋ ଭାଷା ବଢିଆ '। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ଜଣେ ଜଣେ ଓଡ଼ିଆ। ସେମାନେ ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ନିଜକୁ ଓଡ଼ିଆ ବୋଲି ଗର୍ବ କରିବାର ସମୟ ଆସିଛି। ସମଗ୍ର ବିଶ୍ୱରେ ଯେଉଁ ଓଡିଆମାନେ ଅବହେଳିତ ହେଉଛନ୍ତି ଏବଂ ନିଜ ଅଧିକାରରୁ ବଞ୍ଚିତ ରହୁଛନ୍ତି, ସେମାନଙ୍କୁ ଜାତୀୟ ମହାସ୍ରୋତରେ ସାମିଲ କରିବା ପୂର୍ବକ ସମଗ୍ର ଓଡିଶାର ତିରିଶିଟି ଜିଲ୍ଲାରେ ଜନ୍ମିତ ଓଡ଼ିଆମାନଙ୍କୁ ନେଇ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ' ମୁଁ ଓଡ଼ିଆ ' ଅନୁଷ୍ଠାନର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଡକ୍ଟର ହରିହର କାନୁନଗୋଙ୍କ ଅଧ୍ୟକ୍ଷତାରେ ମାଷ୍ଟର କ୍ୟାଂଟିନ୍ ଛକ ନିକଟସ୍ଥ ବୁଲନ ଭାଈ ସେବା ସଦନରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ସମାଜ ସଂସ୍କାରକ ସଜ୍ଜନ ଶର୍ମା, ଶିକ୍ଷାବିତ୍ ଶଶଧର ପଣ୍ଡା ଏବଂ ସମାଜସେବୀ ଅବନିକାନ୍ତ ପାଟଯୋଷି ଅତିଥି ଭାବେ ଯୋଗଦେଇ ' ମୁଁ ଓଡ଼ିଆ ' ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଆଜିର ସଭାରେ ସର୍ବ ସମ୍ମତି କ୍ରମେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଭାବେ ଘୋଷଣା କରାଯିବା ପରେ ସଜ୍ଜନ ଶର୍ମା, ଗୋଲକ ମହାପାତ୍ର ଏବଂ ଲକ୍ଷ୍ମୀଧର ସାହୁଙ୍କୁ ଉପଦେଷ୍ଟା ଭାବେ ଘୋଷଣା କରାଗଲା। ଏହି ଅବସରରେ ବେଦିକ୍ ବିଶ୍ୱବିଦ୍ୟାଳୟର କୁଳପତି ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ହରିହର କାନୁନଗୋଙ୍କୁ ସଭାପତି, ସମାଜସେବୀ କବି ଦୀନବନ୍ଧୁ ପତିଙ୍କୁ କାର୍ଯ୍ୟକାରୀ ସଭାପତି, ଅବନିକାନ୍ତ ପାଟଯୋଷୀ , ଦୀପାରାଣୀ ପଟ୍ଟନାୟକଙ୍କୁ ଉପସଭାପତି, ଶିକ୍ଷାବିତ୍ ଶଶଧର ପଣ୍ଡାଙ୍କୁ ସାଧାରଣ ସମ୍ପାଦକ, ମାନସ ସୁନ୍ଦର ଶତପଥୀଙ୍କୁ ରାଜ୍ୟ ସଂଯୋଜକ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ଦାସଙ୍କୁ ସଂଗଠନ ସମ୍ପାଦକ, ବନ୍ଦନା ହରିଚନ୍ଦନଙ୍କୁ ଯୁଗ୍ମ ସମ୍ପାଦିକା, ରଶ୍ମିତା ମହାନ୍ତି, ପ୍ରସନ୍ନ କୁମାର ଉପାଧ୍ୟାୟ, ଅରୁଣ କୁମାର ସାହୁ, ରମେଶ ଚନ୍ଦ୍ର ପାତ୍ର , କଣ୍ଡୁରୀ ଚରଣ ନାୟକଙ୍କୁ ସହ ସମ୍ପାଦକ, ଧୃବାନନ୍ଦ ବାରିକ୍ ଙ୍କୁ କୋଷାଧ୍ୟକ୍ଷ ଏବଂ ପ୍ରତି ଜିଲ୍ଲାରୁ ଜଣେ ଜଣେ ଓଡ଼ିଆଙ୍କୁ କାର୍ଯୟନିର୍ବାହୀ କମିଟିକୁ ମନୋନୟନ କରାଗଲା। ଏହି ଅବସରରେ ଅରୁଣ କୁମାର ସାହୁ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରିଥିବା ବେଳେ ପଣ୍ଡିତ ଦୈତ୍ୟାରି ମହାପାତ୍ର ' ମୁଁ ଓଡ଼ିଆ ' ଅନୁଷ୍ଠାନର ଭିତିଭୂମି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ନବ ନିର୍ବାଚିତ ସଭାପତି ଡକ୍ଟର ହରିହର କାନୁନଗୋଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଫେବୃଆରୀ ମାସରେ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସଂଗଠନ ଗଠନ କରିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବା ପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପଣ୍ଡା ଧନ୍ୟବାଦ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ