ଚମ୍ପୁଆ, 21 ଫେବ୍ରୁଆରି (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କେ.ବୀ. ଉଚ୍ଚ ବିଦ୍ୟାଳୟ ର ବାଳିକା ଛାତ୍ରାବାସ ରେ ରହି ପାଠ ପଢ଼ୁଥିବା ଷଷ୍ଠ ଶ୍ରେଣୀ ଛାତ୍ରୀ ଙ୍କ ମୃତ୍ୟୁ ଘଟଣା ର ତଦନ୍ତ ଚାଲୁ ରହିଥିବା ବେଳେ ଆଜି ମୃତ ଛାତ୍ରୀ ଙ୍କ ମାଆ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଛାତ୍ରାବାସ ଝିଅ ର ଦେହ ଖରାପ୍ ଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବିଷୟରେ ଘର ଲୋକଙ୍କୁ ଲୁଚାଇ ଚିକିତ୍ସା କରିବା ସହ ଗୁରୁତର ଅବସ୍ଥାର ଘର ଲୋକ ଙ୍କୁ ହସ୍ତାନ୍ତର ଯୋଗୁଁ ଛାତ୍ରୀ ଙ୍କ ମୃତ୍ୟୁ ଘଟିଲା ବୋଲି ଛାତ୍ରୀ ଙ୍କ ମାଆ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି। କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା ଯୋଗୁଁ ତାଙ୍କ ଝିଅ ଙ୍କ ଅକାଳ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିବା ସହ ଏଥି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଛନ୍ତି। ଭଣ୍ଡା କେ.ବୀ. ଉଚ୍ଚ ବିଦ୍ୟାଳୟ ର ଛାତ୍ରାବାସ ରେ ରହି ପାଠ ପଢ଼ୁଥିବା ଚମ୍ପୁଆ ବ୍ଲକ୍ ରଙ୍ଗାମାଟିଆ ପଞ୍ଚାୟତ ରରୁଆଁଗୋଡା ଗ୍ରାମ ର ମିତ୍ରଭାନୁ ନାଏକ ଓ ଟିକିଲି ନାଏକ ଙ୍କ ଝିଅ ନନ୍ଦିନୀ ନାଏକ (୧୧) ଙ୍କ ଗତ ରବିବାର ଦିନ କଟକ ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଛାତ୍ରାବାସ ରେ ଥିବା ସମୟ ନନ୍ଦିନୀ ଙ୍କ ଦେହ ଖରାପ୍ ଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଜଣାଇ ନ ଥିଲେ ଓ ଛାତ୍ରୀ ଙ୍କୁ ଘରକୁ ମଧ୍ୟ ଛାଡ଼ି ନ ଥିଲେ । ତେବେ ଗତ ନଅ ତାରିଖରେ ବିଦ୍ୟାଳୟ କର୍ତ୍ତୁପକ୍ଷ ନନ୍ଦିନୀ ଙ୍କ ମାଆ ଟିକିଲି ଙ୍କୁ ଡାକି ତାଙ୍କ ସହିତ ନନ୍ଦିନୀ ଙ୍କୁ ନେଇଯିବା ପାଇଁ କହିଥିଲେ । ନନ୍ଦିନୀ ଙ୍କ ହାତ ଗୋଡ ଫୁଲିଯିବା ସହ ସେ ଠିଆ ହୋଇପାରୁ ନଥିଲେ । ଏକ ସାଧା କାଗଜ ରେ ଦସ୍ତଖତ କରିବା ପରେ ନନ୍ଦିନୀ ଙ୍କୁ ହଷ୍ଟେଲ ରୁ ଛାଡିଥିବା ନେଇ ତାଙ୍କ ମାଆ ଟିକିଲି ନିଜ ଅଭିଯୋଗ ରେ ଦର୍ଶାଇଛନ୍ତି। ଟିକିଲି ଅସୁସ୍ଥ ନନ୍ଦିନୀ ଙ୍କୁ ହଷ୍ଟେଲ ରୁ ସିଧା ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଓ ସେଠାରୁ କଟକ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚାରିଦିନ ଧରି ଚିକିତ୍ସିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ନନ୍ଦିନୀ ଙ୍କ ମୃତ୍ୟୁ ଘଟିଥିଲା । ନନ୍ଦିନୀ ଙ୍କ ମୃତଦେହ କଟକ ରୁ ଆସିବା ପରେ ରରୁଆଁଗୋଡା ଗ୍ରାମବାସୀ ତାଙ୍କ ମୃତଦେହ କୁ ଧରି ବିଦ୍ୟାଳୟ ସମ୍ମୁଖ ରେ ରଖି ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବୀରେ ରାସ୍ତାରୋକ କରିଥିଲେ । ଛାତ୍ରୀ ଙ୍କ ମୃତଦେହ ସତ୍କାର ସମୟ ରେ ଛାତ୍ରାବାସ ରୁ ଆସିଥିବା ତାଙ୍କ ବ୍ୟାଗ୍ ଓ ବାକ୍ସ ରୁ ପୁଳା ପୁଳା ପାରାସିଟାମଲ ବଟିକା ବାହାରିଥିଲା । ବିଦ୍ୟାଳୟ କର୍ତ୍ତୁପକ୍ଷ ଘର ଲୋକ ଙ୍କୁ ନ ଜଣାଇ ନଦିନୀ ଙ୍କୁ ଚିକିତ୍ସା କରୁଥିବା ନେଇ ତାଙ୍କ ମାଆ ଉଲ୍ଲେଖ କରିଛନ୍ତି । ଘଟଣା ପରେ ବ୍ଲକ୍ ମଙ୍ଗଳ ଅଧିକାରୀ ପ୍ରମୋଦ କୁମାର ନାଏକ ଓ ଅତିରିକ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ବିଦ୍ୟାଳୟ କୁ ଯାଇ ଘଟଣା ର ତଦନ୍ତ କରିଥିଲେ । ଗତ କାଲି ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର ଦେଓ ବିଦ୍ୟାଳୟ କୁ ଯାଇ ଘଟଣା ର ତଦନ୍ତ କରିଥିବା ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ଏହି ଛାତ୍ରାବାସ ରେ ଅନ୍ତେବାସୀ ମାନଙ୍କୁ ନିମ୍ନମାନର ଭୋଜନ ପ୍ରଦାନ ସହ ପୂତିଚନ୍ଧମୟ ପରିବେଶ ରେ ଛାତ୍ରୀ ମାନେ ରହୁଥିବା ଭଳି ଅଭିଯୋଗ ହୋଇଥିବା ବେଳେ ଗତ ଗ୍ରୀଷ୍ମ ଋତୁ ରେ ହଷ୍ଟେଲ ର ବୋରିଂ ଖରାପ ଯୋଗୁଁ ଛାତ୍ରୀ ମାନେ ନିଜର ନିତ୍ୟକର୍ମ ପାଇଁ ପାଣି ଆଣିବାକୁ ହଷ୍ଟେଲ ବାହାରକୁ ଯାଉଥିଲେ । ବର୍ତ୍ତମାନ ବିଦ୍ୟାଳୟ ରେ ଥିବା ପ୍ରଧାନ ଶିକ୍ଷକ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ସହିତ କେବୀ ଉଚ୍ଚ ବିଦ୍ୟାଳୟ ର ଅତିରିକ୍ତ ଦାୟିତ୍ଵ ସମ୍ଭାଳୁ ଥିବାରୁ ଏହି ବିଦ୍ୟାଳୟ ଓ ଛାତ୍ରବାସ ଅନେକ ଅନିୟମିତତା ଦେଇ ଗତି କରୁଛି । ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ପଦାକୁ ଆସିବ। ମୃତ ଛାତ୍ରୀ ଙ୍କ ମାଆ ଟିକିଲି ନାଏକ ଆଜି ତାଙ୍କ ଝିଅ ର ଅକାଳ ମୃତ୍ୟୁ ଘଟଣା ର ବିଧିବଦ୍ଧ ତଦନ୍ତ କରି ଦୋଷୀ ଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ମଣ୍ଡୁଆ ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ରେ ନିବଦନ କରିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta