ମାଲକାନଗିରି , ୨୧ ଫେବ୍ରୁଆରି (ହି.ସ.)
ପେଟ୍ରୋଲିଙ୍ଗ ସମୟରେ ମାଲକାନଗିରି ଅବକାରୀ ବିଭାଗ ଦ୍ଵାରା ଗତକାଲି ୪ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ, ୪୩କେଜି ଗଞ୍ଜେଇ ଜବତ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଲାଣଗୁଡା ଛକ ନିକଟରେ ଅବକାରୀ ବିଭାଗର ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମାଲକାନଗିରିରୁ ୨ଗୋଟି ମୋଟର ସାଇକେଲ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇଥିଲେ। ଉକ୍ତ ଦୁଇଟି ମୋଟର ସାଇକେଲରେ ମୋଟ ୪ ଜଣ ଯୁବକ ରହିଥିବା ବେଳେ ଯାଞ୍ଚକରିବାରୁ ସେମାନଙ୍କ ନିକଟରୁ ବ୍ୟାଗ ମଧ୍ୟରେ ଗଞ୍ଜେଇ ଥିବା ଅବକାରୀ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ଅବକାରୀ କର୍ମଚାରୀ ମାନେ ଉକ୍ତ ଗଞ୍ଜେଇ ଓ ୨ଗୋଟି ମଟର ସାଇକେଲ ଜବତ କରିବା ସହ ୪ଜଣ ଆସାମୀଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ଓଜନ ପ୍ରାୟ ୪୩ କେଜି ଥିବା ବେଳେ ଏହି ଗଞ୍ଜେଇକୁ ଉକ୍ତ ୪ ଅଭିଯୁକ୍ତ ଛତିଶଗଡ ଅଭିମୁଖେ ନେଉଥିବାର ସ୍ବୀକାର କରିଥିଲେ।.ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଗିରଫ ଆସାମୀ ମାନେ ହେଲେ ତନିସ ବାଗେଲ, ଦିପେଶ କଶ୍ୟପ, ନାଗେଶ ୟାଦବ, ପୁଷ୍ପରାଜ ବେଟି ସମସ୍ତଙ୍କ ଘର ଛତିଶଗଡର ବସ୍ତର ଜିଲ୍ଲାରେ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ଓ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣା ପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ