ଭଦ୍ରକ, ୨୧ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ମୁକୁନ୍ଦପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଗଙ୍ଗାଧର ପଣ୍ଡା (ଇଟାଲି ପଣ୍ଡା)ଙ୍କର ୮୦ବର୍ଷରେ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। ସ୍ୱର୍ଗତ ପଣ୍ଡା ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳର ବିଭିନ୍ନ ପଦ ପଦବୀରେ ରହି ଦଳକୁ ସୁସଂଗଠିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ବ୍ଲକ କଂଗ୍ରେସର ସାଧାରଣ ସଂପାଦକ ଥିବା ବେଳେ ତିହିଡ଼ି ମୋହରିର ସଂଘର ସଭାପତି ଭାବେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସେ ଜଣେ ଶାନ୍ତ, ସରଳ, ଅମାୟିକ, କର୍ତବ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ, କଂଗ୍ରେସ ନେତା ସୁରେଶ କୁମାର ମହାପାତ୍ର, ଲକ୍ଷ୍ମୀକାନ୍ତ ମହାନ୍ତି, ଦୋଳଗୋବିନ୍ଦ ପାଟ, ପୀତାମ୍ବର ସେଠୀ, ବିଜେପି ନେତା ଉମାକାନ୍ତ ଦାସ, ସରପଂଚ ଶୁଭ୍ରନାରାୟଣ ସେଠୀ, ସରପଂଚଙ୍କ ପ୍ରତିନିଧି ସୁଧାଂଶୁ ଶେଖର ମହାଳିକ, ସମାଜସେବୀ ହିମାଦ୍ରୀ ରାଉତରାୟ, ଅଭିମନ୍ୟୁ ବାରିକ, ପୁରୁଷୋତମ ମହାଳିକ, ସର୍ବେଶ୍ୱର ପରିଡ଼ା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସଂଗେ ସଂଗେ ଶ୍ରଦ୍ଧାସୁମନ ଅର୍ପଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବଡ଼ପୁଅ ଅସୀମ ପଣ୍ଡା ମୁଖାଗ୍ନି ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ