ଜୟପୁର, ୨୧ ଫେବୃଆରୀ (ହି.ସ.)- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ପ୍ରଥମେ ଶିଶୁ ଓ ଗୁରୁଜୀ ଗୁରୁମାଙ୍କ ଦ୍ୱାରା ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶିଶୁମାନେ ଉଚ୍ଚ ସ୍ୱରରେ ମାତୃଭାଷାର ସୁରକ୍ଷା କରିବା ପାଇଁ ବିଭିନ୍ନ ସ୍ଲୋଗାନ୍ ପ୍ରଦାନ କରି ଜନ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଥିଲେ । ଏହି ଶୋଭାଯାତ୍ରା ଶାରଦା ବିହାର ରୁ ବାହାରି ବାଙ୍କମଠ ପର୍ଯ୍ୟନ୍ତ ଯାଇଥିଲା । ଶୋଭାଯାତ୍ରାରେ ପ୍ରାୟ ୨୦୦ ଜଣ ଶିଶୁ ଭାଇ ଭଉଣୀ ଓ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ବିଦ୍ୟାଳୟରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରକାଶ ବିଦ୍ୟାଳୟ, ଜୟପୁରର ଓଡ଼ିଆ ବିଭାଗର ଅଧ୍ୟାପକ, ଗୋପାଳ ଚନ୍ଦ୍ର ମହାରଣା । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସହ ସଂପାଦକ ଶ୍ରୀଯୁକ୍ତ ତପନ କିରଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାରଣା ଓଡ଼ିଆ ଭାଷାର ବର୍ତ୍ତମାନର ସ୍ଥିତି, ଏହାକୁ ବଞ୍ଚେଇ ରଖିବା ପାଇଁ ନିଆଯାଇପାରିବା ପଦକ୍ଷେପ ଏବଂ ଏହାକୁ ବଞ୍ଚେଇ ରଖିବାର ଆବଶ୍ୟକତା ବିଷୟରେ ଶିଶୁ ଭାଇ ଭଉଣୀମାନଙ୍କୁ ନିଜ ବୌଦ୍ଧିକ ପ୍ରଦାନ କରିଥିଲେ । ଶ୍ରୀ ତ୍ରିପାଠୀ ମଧ୍ୟ ଶିଶୁ ଭାଇ ଭଉଣୀଙ୍କୁ ଓଡ଼ିଆ ମାତୃଭାଷାକୁ ନ ବଞ୍ଚାଇ ପାରିଲେ କି କି ପରିସ୍ଥିତି ସୃଷ୍ଟି ହୋଇପାରିବ ସେ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ।
ସଭାକାର୍ଯ୍ୟ ପରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପରିପ୍ରେକ୍ଷୀରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ଶିଶୁ ଭାଇ ଭଉଣୀମାନଙ୍କୁ ଅତିଥି ତଥା ମାତୃଭାଷା ଶିକ୍ଷାଦାନ କରୁଥିବା ଗୁରୁଜୀ ଗୁରୁମାଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦିବସଟି ସମସ୍ତ ଗୁରୁଜୀ ଗୁରୁମା, ଅନ୍ୟାନ୍ୟ ସେବାବ୍ରତୀ ଏବଂ ଶିଶୁଙ୍କ ସହଯୋଗରେ ସଫଳତାରେ ସହିତ ସଂପାଦିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପବନ