ଜୟପୁର, ୨୧ ଫେବ୍ରୁଆରି (ହି.ସ.) - ଜଗନ୍ନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ଅନୂଯାୟୀ ଚୁକ୍ତିନାମା ସଂଖ୍ୟା -୧ ପି ୱାନ୍/୨୩-୨୪ ଅନୁଯାୟୀ କାର୍ଯ୍ୟ ଆରମ୍ଭ ତାରିଖ ୨୪.୦୪.୨୦୨୩ ଏବଂ କାର୍ଯ୍ୟ ଶେଷ ତାରିଖ ୨୩.୦୩.୨୦୨୪ ସୁଦ୍ଧା ସରିବା ପାଇଁ ସମୟ ଧାର?୍ୟ୍ୟ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ଧାର୍ଯ୍ୟ ସମୟସୀମା ସରିଯାଇଥିଲେ ମଧ୍ୟ କାମ ସରୁ ନ ଥିବାରୁ ଚଳିତ ବର୍ଷ ଡ୍ରେନ ପାଣି ନିଷ୍କାସନ ହେଉ ନ ଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ସୂଚନଯୋଗ୍ୟ ଯେ ୧୧୨୭ ମିଟର ଦୈର୍ଘ୍ୟର ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ଏଥିରେ ୧୨୦ ମିଟର ବେସରକାରୀ ଜମି ରହିଛି। ଏଥି ପାଇଁ ଡ୍ରେନ ନିର୍ମାଣ କାର୍ଯ୍ୟରେ ବହୁତ ବଡ ସମସ୍ୟା ଦେଖାଯାଇଛି । ଡ୍ରେନ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସାହୁଙ୍କ କହିବା ଅନୁସାରେ ଏହି ୧୨୦ ମିଟର ବେସରକାରୀ ଜମି ସମସ୍ୟାକୁ ନେଇ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳ ସେଚନ ବିଭାଜନ ଜୟପୁର, ପକ୍ଷରୁ ଜୟପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। ଏହା ସତ୍ୱେ ବେସରକାରୀ ଜମି ରହିଥିବା ହେତୁ ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଦେଖାଦେଇଛି। ତେଣୁ ଏନେଇ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି । ଜଗନ୍ନାଥ ସାଗର ପାର୍ଶ୍ୱରେ ଡ୍ରେନ ନିର୍ମାଣ ହେବା ଦ୍ୱାରା ଦୂଷିତ ଜଳ ସାଗର ଭିତରକୁ ପ୍ରବେଶ ନ ହୋଇ ସିଧାସଳଖ ଜଗନ୍ନାଥ ସାଗର ବାହାର ପାର୍ଶ୍ୱ ଦେଇଯିବ, ଯାହା ଦ୍ୱାରା ଜଗନ୍ନାଥ ସାଗରର ଜଳାଶୟ ସ୍ୱଚ୍ଛ ହୋଇ ରହିବ। ବର୍ତମାନ ଡ୍ରେନ ନିର୍ମାଣ ଅବଧି ସରିବା ପରେ ମଧ୍ୟ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର କିଛି ଅଂଶ କାର୍ଯ୍ୟ ଚାଲୁରହିଥିବା ବେଳେ ଏବେ ଅବଶିଷ୍ଟ କାମ କରାଯାଉଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଏହି ଡ୍ରେନ୍ ନିର୍ମିତ ହେବା ଦ୍ୱାରା ସ୍ଥାନୀୟ ଅଂଚଳରେ ସ୍ୱଚ୍ଛ ପରିବେଶ ସୃଷ୍ଟି ହେବ। ଯଦ୍ୱାରା ଦୁର୍ଗନ୍ଧମୟ ପରିବେଶରୁ ଲୋକେ ବଞ୍ଚିତ ରହିବେ। ଅନ୍ୟପଟେ ଡ୍ରେନ୍ ନିର୍ମାଣ କାମରେ କେତେକ ସ୍ଥାନରେ କଂକ୍ରିଟ କାମରେ ନିମ୍ନମାନର ଲୁହା ଛଡ ଓ ସିମେଣ୍ଟ ବ୍ୟବହୃତ ହେଉଥିବାକୁ ନେଇ ସାଧାରଣରେ ଅଭିଯୋଗ ହେଉଛି । ପ୍ରାୟ ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଏପରି ନିମ୍ନ ମାନର କାମ ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଡ୍ରେନ୍ କାମରେ ସ୍ୱଚ୍ଛତା ରହି ଅତିଶିଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ