ଭୁବନେଶ୍ୱର, 21 ଫେବୃଆରୀ - ରାଜ୍ୟର ସମସ୍ତ ୭ଟି ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲାରେ ହେନ୍ତାଳବଣ ଦେଖାଯାଏ । ଭାରତ ସରକାରଙ୍କ ଜାତୀୟ ସର୍ବେକ୍ଷଣ ସଂସ୍ଥାଙ୍କ ଦ୍ୱାରା ସଦ୍ୟତମ ପ୍ରକାଶିତ ଭାରତ ଜଙ୍ଗଲ ସ୍ଥିତି ରିପୋର୍ଟ , ୨୦୨୩ ର ଆକଳନ କରାଯାଇଥିବା ତଥ୍ୟ ଅନୁସାରେ ରାଜ୍ୟର ୫ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସମୁଦାୟ ୨୫୯.୦୬ ବର୍ଗ କିଲୋମିଟର ହେନ୍ତାଳବଣ ରହିଛି । ବାଲେଶ୍ଵର ଜିଲ୍ଲାରେ ୪.୮୨ ବର୍ଗ କିଲୋମିଟର, ଭଦ୍ରକ ଜିଲ୍ଲାରେ ୩୨.୩୯ ବର୍ଗ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୮.୪୨ ବର୍ଗ କିଲୋମିଟର, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୨.୬୯ ବର୍ଗ କିଲୋମିଟର ଓ ପୁରୀ ଜିଲ୍ଲାରେ ୦.୭୪ ବର୍ଗ କିଲୋମିଟର ହେନ୍ତାଳବଣ ଅଛି ।
ବାତ୍ୟାର ପ୍ରଭାବକୁ ହ୍ରାସ କରିବା ଦିଗରେ ହେନ୍ତାଳବଣର କ୍ଷମତାକୁ ହୃଦୟଙ୍ଗମ କରି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତିବର୍ଷ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥିବା ହେନ୍ତାଳ ଉପଯୋଗୀ ସ୍ଥାନମାନଙ୍କରେ ପ୍ରତ୍ୟେକ ବର୍ଷ ହେନ୍ତାଳ ଚାରା ରୋପଣ କରାଯାଇ ଆସୁଅଛି ।
୨୦୨୨-୨୩ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ସର୍ବମୋଟ୍ ୧୧୯୮ ହେକ୍ଟର ପରିମିତ ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି କରିବା ପାଇଁ ହେନ୍ତାଳ ଚାରା ରୋପଣ କରାଯାଇଛି, ଯାହା ହେନ୍ତାଳବଣର ପରିସୀମା ବୃଦ୍ଧିରେ ସହାୟକ ହୋଇପାରିଛି । ଭାରତ ଜଙ୍ଗଲ ସ୍ଥିତି ରିପୋର୍ଟ , ୨୦୨୩ ଅନୁଯାୟୀ ବିଗତ ଦୁଇବର୍ଷ ମଧ୍ୟରେ ମୋଟ ୧.୫୫ ବର୍ଗ କିଲୋମିଟର ହେନ୍ତାଳବଣର ଅଭିବୃଦ୍ଧି ଘଟିଛି । ହେନ୍ତାଳବଣର କ୍ଷେତ୍ରଫଳ ୨୫୭.୫୧ ବର୍ଗ କିଲୋମିଟରରୁ ବୃଦ୍ଧି ପାଇ ୨୫୯.୦୬ ବର୍ଗ କିଲୋମିଟର ହୋଇଛି ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ