ସୁବର୍ଣ୍ଣପୁର, ୨୨ ଫେବୃଆରୀ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ବିଶ୍ୱ ସ୍କାଉଟ୍ ଓ ଗାଇଡସ ସଂସ୍ଥାର ପ୍ରତିଷ୍ଠାତା ଲର୍ଡ ବେଦେନ୍ ପାୱେଲ ଓ ଲେଡୀ ବେଡେନ୍ ପବେଲଙ୍କ ଜନ୍ମ ଦିବସ “ଆନ୍ତର୍ଜାତୀୟ ଚିନ୍ତନ ଦିବସ” ପାଳିତ ହୋଇଯାଇଛି। ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍କାଉଟ୍ ସଂସ୍ଥାର ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ ବିଦ୍ୟାଳୟର ସ୍କାଉଟମାନଙ୍କର କାର୍ଯ୍ୟ ସ୍ମରଣୀୟ ଅଟେ ବୋଲି ମତପ୍ରକାଶ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ସଂସ୍ଥାର ଜିଲ୍ଲା ତାଲିମ କମିଶନର ତଥା ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଦୀନବନ୍ଧୁ ପ୍ରଧାନ ମଂଚାସୀନ ହୋଇ ସ୍କାଉଟ୍ ଇତିହାସ, ସେବାକାର୍ଯ୍ୟ, ତଥା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାର ପ୍ରାରମ୍ଭରେ ଅନ୍ତରା ଜାଲ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସଭାକୁ ସଂଯୋଜନା କରିଥିଲେ। ଶେଷରେ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ, ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ