କେନ୍ଦୁଝର , ୨୨ ଫେବୃଆରୀ ( ହି . ସ ) କେନ୍ଦୁଝର ବଡ଼ବିଲରେ ବହୁ ଚର୍ଚ୍ଚିତ ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମା ରାୟ ଆଜି କେନ୍ଦୁଝରରେ ଆୟୋଜିତ ଏକ ପ୍ରେସମିଟ୍ ରେ ପୁରା ଘଟଣାର ଖୁଲାସା କରିଛନ୍ତି । ଗତ ୧୨ ତାରିଖରେ ଟଙ୍କା ପାଇଁ ନିମାନନ୍ଦଙ୍କୁ ଅପହରଣ କରାଯାଇଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ । ଏହି ଘଟଣାରେ ଡ୍ରାଇଭର ଏମ୍ ଡି ଫିରୋଜ୍ ଓ ଜଣେ ମହିଳାଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୫୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ବନ୍ଧୁକ ଏବଂ ୮ ଟି ମୋବାଇଲ ଜବତ୍ ହୋଇଛି । ଫିରୋଜ୍ ଙ୍କ ବ୍ୟତୀତ ଅନ୍ୟ ୬ ଜଣଙ୍କୁ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଏମାନେ ହେଲେ, ଡ୍ରାଇଭର ଏମ୍ ଡି ଫିରୋଜ୍, ବୁଧେନ୍ଦ୍ରନାଥ ସିଙ୍ଘା , ବାବୁ @ ସର୍ଫରାଜ୍ ଅନସାରୀ, ରାଜେନ୍ଦ୍ର ପୱନ୍, ଜମିଲ୍ ଆଖତର, ସଦ୍ଦାବ ନୌବାହାର ଏବଂ ଫରହା ପରୱିନ୍ । ଅପହରଣ ପରେ ନିମାନନ୍ଦଙ୍କୁ ଝାଡ଼ଖଣ୍ଡର ଏକ ସ୍ଥାନରେ ରଖି ମୁଣ୍ଡ ଜାମିନ୍ ବାବଦକୁ ୨ କୋଟି ଟଙ୍କା ଡିମାଣ୍ଡ କରାଯାଇଥିଲା ।
ଟଙ୍କା ନଦେଲେ ତାଙ୍କୁ ଜୀବନରେ ମାରି ଦିଆଯିବ ବୋଲି ପରିବାର ଲୋକଙ୍କୁ ଧମକ ଦିଆଯାଉଥିଲା । ଦୁଇ ଜଣ ଆଡ଼ିସନାଲ୍ ଏସ ପି ଙ୍କ ନେତୃତ୍ୱରେ ବଛା ବଛା ଅଫିସର ମାନଙ୍କୁ ନେଇ ୧୨ ଟି ଟିମ୍ ଗଠନ କରି ପୋଲିସ୍ ତଦନ୍ତ ଚଳାଇଥିଲା । ନିଜେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ବଡ଼ବିଲରେ ଡେରା ପକାଇ ତଦନ୍ତ କୁ ମୋନିଟରିଂ କରୁଥିଲେ । ପରେ ପରିବାର ପକ୍ଷରୁ ୬୦ ଲକ୍ଷ ଟଙ୍କା ଦେବାପରେ ଅପହରଣକାରୀଙ୍କ କବଳରୁ ମୁକୁଳି ଥିଲେ ନିମାନନ୍ଦ । ପୋଲିସ୍ ପାଇଥିବା ବିଭିନ୍ନ ସୁରାକ ଏବଂ ଡ୍ରାଇଭର ଫିରୋଜକୁ ଜେରା କରିବା ପରେ ସଫଳତା ପାଇଥିଲା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ
ବାବୁ @ଏମ୍ ଡି ଶାହାଦାବ୍ ଏବେବି ଫେରାର ରହିଛି । ସୂଚନା ଅନୁସାରେ କମ୍ପାନୀର ଡ୍ରାଇଭର ଏମ୍ ଡି ଫିରୋଜ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଏମ୍ ଡି ଶାହାଦାବ୍ ସହିତ ପ୍ରାୟ ୧ ବର୍ଷ ଧରି ସମ୍ପର୍କରେ ରହିଥିଲା ଏବଂ ନିମାନନ୍ଦଙ୍କ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଦେଇଆସୁଥିଲା । ଯୋଜନା ମୁତାବକ ଘଟଣା ଦିନ ୪ ଜଣ ଆସି ତାଙ୍କୁ ବାଟରୁ ଅପହରଣ କରି ନେଇ ଯାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଭୁତି