ତିହିଡ଼ି ବଜାର ଅବରୋଧମୁକ୍ତ ପାଇଁ ମାପଚୁପକୁ ପୂରିଲା ମାସେ, ଡ୍ରେନେଜ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ବଢ଼ୁଛି ଅସନ୍ତୋଷ, କାହା ଚାପରେ ହେଉନି ଅବରୋଧମୁକ୍ତ
ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବଜାରର ଉଭୟ ପାଶ୍ୱର୍ରେ ଦୀର୍ଘଦିନ ହେବ ଉଠାଦୋକାନୀମାନେ ବ୍ୟବସାୟ କରିଆସୁଛନ୍ତି। ଯାହାଫଳରେ ବଜାରର ଡ୍ରେନେଜ ସମସ୍ୟା ଦୂର ହୋଇ ପାରୁନଥିବା ବେଳେ ଟ୍ରାଫିକ୍ ସମସ୍ୟା ଉଗ୍ରରୂପ ଧାରଣ କରୁଛି। ଯେଉଁଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ
TIHIDI BAZAR JABAR DAKHAL


ଭଦ୍ରକ, ୨୨ ଫେବୃୟାରୀ (ହି.ସ.) - ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବଜାରର ଉଭୟ ପାଶ୍ୱର୍ରେ ଦୀର୍ଘଦିନ ହେବ ଉଠାଦୋକାନୀମାନେ ବ୍ୟବସାୟ କରିଆସୁଛନ୍ତି। ଯାହାଫଳରେ ବଜାରର ଡ୍ରେନେଜ ସମସ୍ୟା ଦୂର ହୋଇ ପାରୁନଥିବା ବେଳେ ଟ୍ରାଫିକ୍ ସମସ୍ୟା ଉଗ୍ରରୂପ ଧାରଣ କରୁଛି। ଯେଉଁଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଗତ ଏକମାସ ତଳେ ବଜାର ଅବରୋଧମୁକ୍ତ ପାଇଁ ପ୍ରଶାସନ ପକ୍ଷରୁ ମାପୁଚୁପ କରାଯାଇଥିଲା। ଏହି ମାପଚୁପ ପରେ ବଜାର ଅବରୋଧମୁକ୍ତ ହେବା ନେଇ ଲୋକମାନେ ନିଶ୍ଚିତ ହୋଇଥିଲେ। ମାତ୍ର ମାପଚୁପକୁ ଏକମାସ ପୂରି ଯାଇଥିଲେ ମଧ୍ୟ ଅବରୋଧମୁକ୍ତ ହୋଇ ପାରୁନାହିଁ। କାହା ଚାପରେ ଅବରୋଧମୁକ୍ତ କରାଯାଉ ନାହିଁ ସେ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାରର ଉଭୟ ପାଶ୍ୱର୍ର ଉଠାଦୋକାନୀମାନେ ରାସ୍ତା ଉପରକୁ ମାଡ଼ିଆସି ବ୍ୟବସାୟ କରୁଛନ୍ତି। ଯେଉଁଥିପାଇଁ ବଜାର ରାସ୍ତାରେ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଜରୁରୀକାଳୀନ ଆମ୍ବୁଲାନ୍‌ସ ଓ ଦମକଳ ଗାଡ଼ି ଟ୍ରାଫିକ୍ ସମସ୍ୟା ପାଇଁ ବହୁ ସମୟ ଧରି ଅଟକି ରହୁଛି। ସେହିପରି ଉଠାଦୋକାନୀଙ୍କ ପାଇଁ ବଜାରରେ ଡ୍ରେନେଜ ହୋଇ ପାରୁନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ବଜାରରେ ଆଣ୍ଠୁଏ ପାଣି ଠିଆ ହେଉଛି। ଲୋକମାନେ ଏହି ପାଣିରେ ଯାତାୟତ କରି ଅସୁବିଧାରେ ପଡ଼ୁଛନ୍ତି। ତୁରନ୍ତ ବଜାରକୁ ଅବରୋଧମୁକ୍ତ କରାଯାଇ ପାରିଲେ ଟ୍ରାଫିକ ସମସ୍ୟା ଦୂର ହେବା ସହିତ ଡ୍ରେନେଜ ବ୍ୟବସ୍ଥା ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande