କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ
ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ । ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି । ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ । ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତର ସାଂସ୍କୃତିକ ଏକତାକୁ ସୁଦୃଢ଼ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ରେ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ଏହା ଫେବୃଆରୀ ୧୫ ତାରିଖରୁ ବାରାଣାସୀର ନମୋ-ଘାଟରେ ଆୟୋଜିତ ହେଉଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁକାନ୍ତ ମଜୁମ୍ଦାୀର ଏବଂ ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଅନିଲ ରାଜଭର ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ନିଜକୁ ଖୁବ୍ ଗୌରବାନ୍ୱିତ ମନେ କରୁଛି । କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଖୁବ୍ ପ୍ରାଚୀନ । କାଶୀ କେବଳ ଏକ ସହର ନୁହେଁ, ଏହା ଭାରତର ସାଶ୍ୱତ, ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ । ସେହିପରି ତାମିଲନାଡ଼ୁର ଶାସ୍ତ୍ରୀୟ ଭାଷା, ସାହିତ୍ୟ, ଭବ୍ୟମନ୍ଦିର ଓ ଦାର୍ଶନିକ ପରମ୍ପରା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି । କାଶୀ-ତାମିଲ ସଙ୍ଗମ ହେଉଛି ବିବିଧତା ମଧ୍ୟରେ ଆମ ଏକତାର ପ୍ରତୀକ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଓଡ଼ିଶା ମଧ୍ୟ ସେହି ଭାରତୀୟ ସାଂସ୍କୃତିକ ଭାବଧାରାର ପରିଚୟ ବହନ କରେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଦେଶର ସବୁକୋଣରୁ ଭକ୍ତମାନେ ଆସିଥାନ୍ତି ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ସବୁଧର୍ମ, ସବୁ ସଂସ୍କୃତିର ଲୋକ ଯୋଗ ଦେଇଥାନ୍ତି । ଏହି ମହାଭାରତୀୟ ଐଶ୍ୱରିକ ଚିନ୍ତାଧାରାର ପ୍ରସାରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ତାମିଲନାଡ଼ୁର ଭାରତନାଟ୍ୟମ୍ ଆଞ୍ଚଳିକ ଭାଷାଗତ ପାର୍ଥକ୍ୟର ଉପରକୁ ଯାଇ ଶାସ୍ତ୍ରୀୟ ନୃତ୍ୟକଳା ଜରିଆରେ ଭକ୍ତିଭାବର କାହାଣୀ ବର୍ଣ୍ଣନା କରିଥାନ୍ତି ।
କାଶୀ ଓ ତାମିଲନାଡ଼ୁର ସାସ୍କୃତିକ ଐତିହ୍ୟକୁ ଯୋଡ଼ିବା ପାଇଁ ଏହି ଅନନ୍ୟ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହିତ ଆୟୋଜକ ମାନଙ୍କୁ ମଧ୍ୟ ପ୍ରଂଶସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବର ଆଦାନ ପ୍ରଦାନ ଦେଶର ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେଇ ଏକତାର ବନ୍ଧନରେ ବାନ୍ଧି ରଖିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ