ଭୁବନେଶ୍ଵର 24 ଫେବ୍ରୁଆରି (ହି.ସ.)
-ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ ଯୋଗୁଁ ଅଧ୍ୟକ୍ଷ ପଦ ଖାଲିଥିଲା
-ନିର୍ବାଚନ ନ କରିବା ପାଇଁ ଶାସକ ଦଳର ଉଦ୍ୟମ ଫସର ଫାଟିଲା
-ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ମମତା ଭୋଳ ଜୟଯୁକ୍ତ ହୋଇଛନ୍ତି । ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ଫଳରେ ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇ ବଡ଼ ବୋରସିଂ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଭୋଳଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ପରଲୋକରେ ଉକ୍ତ ଆସନ ଖାଲି ପଡ଼ିଥିଲା ଏବଂ ଅଧ୍ୟକ୍ଷ ଦାୟିତ୍ୱରେ ଉପାଧ୍ୟକ୍ଷା ରହିଥିଲେ । ପରବର୍ତ୍ତୀ ସମୟରେ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ନିର୍ବାଚନ ନ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ଉଦ୍ୟମ କରିଆସୁଥିଲା । ଏଭଳି ସ୍ଥିତିରେ ଶ୍ରୀମତୀ ମମତା ଭୋଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁସାରେ ଜାନୁଆରୀ ୩୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଘୋଷଣାକୁ ମାନ୍ୟବର କୋର୍ଟ ସ୍ଥଗିତ ରଖିଥିଲେ । ଗତ ୨୦.୦୨.୨୦୨୫ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟ ମାମଲାର ଶୁଣାଣି କରି ଫଳାଫଳ ଘୋଷଣା ପାଇଁ ଜିଲ୍ଲାପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ଆଜି ନିର୍ବାଚନ ଅଧିକାରୀ ତଥା ବୁଗୁଡା ତହସିଲଦାର ଭୋଟ ଗଣତି କରି ଫଳାଫଳ ଘୋଷଣା କରିଥିଲେ ।
ଏହି ନିର୍ବାଚନ ଜିତିବା ପାଇଁ ଶାସକ ବିଜେପି ଦଳ ତଥା ସ୍ଥାନୀୟ ବିଧାୟକଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ହୋଇଥିବାରୁ ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମମତା ଭୋଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା